ଭୁବନେଶ୍ବର: ସ୍ବତନ୍ତ୍ର ବିକାଶ ପରିଷଦ(SDC)ରେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ୧୮ ଜଣ ଆଦିବାସୀ ନେତାଙ୍କୁ ୯ଟି ଜିଲ୍ଲାର ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ଥଇଥାନ କରାଯାଇଛି । ଏହି ନେତାମାନେ ନିଯୁକ୍ତିର ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଆଜି ଏ ନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଡଃ ଦେବାଶିଷ ମାରାଣ୍ଡି SDC ଅଧ୍ୟକ୍ଷ ଓ କମଳା ତିରିଆଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦୁଝର ଜିଲ୍ଲା SDC ଅଧ୍ୟକ୍ଷ ଭାବେ ଲକ୍ଷ୍ମୀ ନାୟକ, ଉପାଧ୍ୟକ୍ଷ ଭାବେ ନାରାୟଣ ପୂର୍ତ୍ତିଙ୍କୁ ନିଯୁକ୍ତି ମିଳିଛି । ସେହିପରି ମାଲକାନଗିରି SDC ଅଧ୍ୟକ୍ଷ ଆଦମା ରବା ହୋଇଥିବା ବେଳେ ଉପାଧ୍ୟକ୍ଷ ହୋଇଛନ୍ତି ରାଇଲା ନାଏକ । କୋରାପୁଟ SDC ଅଧ୍ୟକ୍ଷ ଭାବେ ଚନ୍ଦ୍ରଶେଖର ମାଝୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଉପାଧ୍ୟକ୍ଷ ହୋଇଛନ୍ତି ଲକ୍ଷ୍ମୀ ହନ୍ତାଳ ।
ସେହିପରି ନବରଙ୍ଗପୁର SDC ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ ହୋଇଥିବା ବେଳେ ଉପାଧ୍ୟକ୍ଷ ହୋଇଛନ୍ତି ଭାନୁମତୀ ପୂଜାରୀ । ରାୟଗଡ଼ା SDC ଅଧ୍ୟକ୍ଷ ଭାବେ ଅନୂସୟା ମାଝୀ ଓ ଉପାଧ୍ୟକ୍ଷ ଭାବେ ବନମାଳୀ କାଡ୍ରାକା, ଗଜପତି ଜିଲ୍ଲା SDC ଅଧ୍ୟକ୍ଷ ଭାବେ ମାରିୟମ ରାଇତୋ ଓ ଉପାଧ୍ୟକ୍ଷ ହୋଇଛନ୍ତି ଧନେଶ୍ବର ଭୂୟାଁ । କନ୍ଧମାଳ ଜିଲ୍ଲା SDC ଅଧ୍ୟକ୍ଷ ରୋଦାନ ମଲ୍ଲିକ ଓ ଉପାଧ୍ୟକ୍ଷ ହୋଇଛନ୍ତି ନଳିନୀ କହଁର । ସୁନ୍ଦରଗଡ଼ ଜିଲ୍ଲା SDC ଅଧ୍ୟକ୍ଷ ଭାବେ ବିନୟ ଟପ୍ପୋ ୨୦୨୧ ନଭେମ୍ବର ୬ରୁ କାର୍ଯ୍ୟ କରୁଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାର SDC ଉପାଧ୍ୟକ୍ଷ ଭାବେ ସୁଶୀଳା ଟପ୍ନୋଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟର ୯ ଆଦିବାସୀବହୁଳ ଜିଲ୍ଲାର ଆଦିବାସୀ ପରିବାରର କଳା, ସଂସ୍କୃତି, ପରମ୍ପରା, କ୍ରୀଡ଼ା ଓ ଅନ୍ୟାନ୍ୟ ବିକାଶ ପାଇଁ ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ SDC ଗଠନ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର