ଭୁବନେଶ୍ବର: ବାରମ୍ବାର ଧରା ପଡ଼ିବା ସତ୍ତ୍ବେ ଗଞ୍ଜେଇ ଚାଲାଣ କରିବା ନୂଆ ଉପାୟ ବାହାର କରୁଛନ୍ତି ଗଞ୍ଜେଇ ମାଫିଆ । କାଜୁ ଚୋପା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଏନସିବି (narcotic control bureau) ହାତରେ ଧରା ପଡ଼ିଲେ ଚାଲାଣକାରୀ । ଖୋର୍ଦ୍ଧାର ଗୋଡି଼ପଡ଼ା ନିକଟରେ ଟ୍ରକ ସହ ବିପୁଳ ଗଞ୍ଜେଇ ଜବତ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ।
ଗୋଡି଼ପଡ଼ା ନିକଟରେ ଏକ ଟ୍ରକକୁ ଯାଞ୍ଚବେଳେ ସେଥିରୁ 702 କେଜି ଓଜନର ଗଞ୍ଜେଇ ଜବତ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ଏହିସହ ଟ୍ରକରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା 2 ଅଭିଯୁକ୍ତ ବିହାରର ଭୋଜପୁର ଅଞ୍ଚଳ ବାସିନ୍ଦା । ସେମାନଙ୍କ ମଧ୍ୟରେ ଜଣଙ୍କ ନାମ ମରଜିତ ରାମ ସିଂ ଓ ଅନ୍ୟ ଜଣେ ଚନ୍ଦନ ଶୁକ୍ଳା ବୋଲି ଜଣାପଡ଼ିଛି ।
ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୭୫ ଲକ୍ଷ ହେବ ବୋଲି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ସୂଚନା ଦେଇଛି । ଏହି ଗଞ୍ଜେଇ ବୋଝେଇ ଟ୍ରକ କୋରାପୁଟରରୁ ବିହାର ଯାଉଥିଲା । ତେବେ କୌଣସି ମତେ ଖବର ପାଇ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଏହି ଟ୍ରକକୁ ଜବତ କରିବାରେ ସକ୍ଷମ ହୋଇଛି । ବର୍ତ୍ତମାନ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ଏନସିବି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ