ନୂଆଦିଲ୍ଲୀ: ମାଓ ମୁକାବିଲା ସମୀକ୍ଷା ନେଇ ଦିଲ୍ଲୀରେ ସରିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ମାଓ ପ୍ରଭାବିତ ରାଜ୍ୟରେ ମୁକାବିଲା ଓ ବିକାଶମୂଳକ କାର୍ଯ୍ୟ ଲାଗି ଏହି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଯୋଗ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସମ୍ମୁଖରେ 3ଟି ଦାବି ଉପସ୍ଥାପନା କରିଛନ୍ତି ।
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମାଓ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ବିଭିନ୍ନ ପ୍ରକାର ସେବାରୁ ବଞ୍ଚିତ ଏହି ଅଞ୍ଚଳରେ ସେ ଉନ୍ନତିମୂଳକ କାର୍ଯ୍ୟ ଲାଗି ପ୍ରସ୍ତାବ ରଖିଛନ୍ତି । ସେହିପରି ମାଲକାନଗିରି-ନବରଙ୍ଗପୁରକୁ ରେଳ ସଂଯୋଗ କରିବାକୁ ଦାବି ଉଠାଇଛନ୍ତି ।
ଏହି ପ୍ରକଳ୍ପ ଲାଗି କେନ୍ଦ୍ର ପଦକ୍ଷେପ ନେଲେ ରାଜ୍ୟ ସରକାର ସାହାଯ୍ୟ କରିବେ ବୋଲି ସେ କହିଛନ୍ତି । ଏଥିପାଇଁ ମାଗଣାରେ ଜମି ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ । ଏହାସହ ପ୍ରକଳ୍ପ ଲାଗି ଅଧା ଖର୍ଚ୍ଚ ବହନ କରିବାକୁ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ନବୀନ କହିଛନ୍ତି । ପ୍ରକଳ୍ପ କାର୍ଯ୍ୟ ତ୍ବରାନିତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି ।
ଦ୍ବିତୀୟ ଦାବି ଭାବେ ମାଓ ପ୍ରଭାବିତ ଅଞ୍ଚଳରେ ଟେଲିଫୋନ ଓ ବ୍ୟାଙ୍କିଂ ସେବା ଉପରେ ଗୁରୁତ୍ୱ ଦେବାକୁ ନବୀନ କହିଛନ୍ତି । ରାଜ୍ୟରେ ଅଧିକାଂଶ ମାଓ ଉପଦ୍ରବ ଅଞ୍ଚଳରେ ଏବେ ସୁଦ୍ଧା ଟେଲିଫୋନ ଓ ବ୍ୟାଙ୍କିଂ ସେବା ପହଞ୍ଚିପାରିନି । ଏହି ସମସ୍ୟାର ସମାଧାନ କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ ଏହି ବୈଠକରେ 10ଟି ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ତେବେ କୌଣସି କାରଣରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିନଥିବାବେଳେ ମୋଟ 7ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଏହାସହ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ବିଭିନ୍ନ ଅର୍ଦ୍ଧସାମରିକ ବାହିନୀର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ