ପୁରୀ: ଗତ ମାସରେ ମାଲେସିଆ ଜାହାଜ ଅଚଳ ହୋଇ ପୁରୀ ଉପକୂଳ ଚିଲିକା ଠାରେ ଲାଗିଥିଲା । ଦୀର୍ଘଦିନ ଧରି ଜାହଜଟି ଉପକୂଳରେ ରହିବା ପରେ ତେଲ କଢାଯାଇ ଜାହାଜକୁ ସ୍ଥାନାନ୍ତର କରାଯାଇଛି । ତେବେ ଜାହଜରୁ ତେଲ ନିର୍ଗତ ହେବା ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ଜାତୀୟ ମାନବିକ ଅଧିକାର କମିଶନ |
ଏହି ମାମଲାରେ କେନ୍ଦ୍ର ଜାହଜ ଚଳାଚଳ ମନ୍ତ୍ରଣାଳୟ ସଚିବ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ ଜାରି କରି ଏ ନେଇ କି କାର୍ଯ୍ୟନୁଷ୍ଠାନ ନିଆଯାଇଛି, ତାହା ଚାରି ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ | ମାନବଧିକାର କର୍ମୀ ଅଖଣ୍ଡଙ୍କ ଅଭିଯୋଗ ଅଧାରରେ ଏନଏଚଆରସି ନିର୍ଦ୍ଦେଶ ଜାରି କରିଛନ୍ତି ।
ଆବେଦନକାରୀ ଦର୍ଶାଇଛନ୍ତି ଜାହାଜରୁ ତେଲ ସମୁଦ୍ରକୁ ନିର୍ଗତ ହୋଇ ପରିବେଶକୁ ନଷ୍ଟ କରିଛି | ଏବେ ମଧ୍ୟ ଜାହଜର କଣ୍ଟେନର ପଡିରହିଛି | ଯାହା ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି କରିଛି | ଜାହାଜର ମାଲିକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ | ଜାହାଜର ରେଜିଷ୍ଟ୍ରେସନ, ଫିଟନେସ ଓ ପରିବହନ ଅନୁମତି ଥିଲାକି ନାହିଁ, ତାହା ମଧ୍ୟ ଯାଞ୍ଚ ହୋଇନଥିଲା | ଏହି ସବୁର ଉତ୍ତର ରଖିବାକୁ କମିସନ ନୋଟିସ ଜାରି କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ