ଭୁବନେଶ୍ବର: କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଜାରି ରହିଛି ବିରୋଧୀଙ୍କ ଆକ୍ରମଣ । ଆଜି ଘଟଣାରେ ରାଜ୍ୟ ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛି ରାଜ୍ୟ ବିଜେପି ।
ଆଜି (ଗୁରୁବାର) ବିଜେପିର ଏକ ସ୍ବତନ୍ତ୍ର ଟିମ ରାଜ୍ୟ ମାନବ ଅଧିକାର କମିଶନଙ୍କୁ ସାକ୍ଷାତ କରି ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । କମିଶନଙ୍କ ନିକଟରେ ଦଳ ଅଭିଯୋଗ କରିଛି ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି । ତାଙ୍କ ସହଯୋଗରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଘଟଣା ଭିଆଇଛି ।
ଦଳ ଆହୁରି ଅଭିଯୋଗ କରିଛି ମନ୍ତ୍ରୀ ନିଜେ ସେହି ସ୍କୁଲକୁ ଯାଇ ରାତ୍ରି ଯାପନ କରୁଥିଲେ । ପୁରା ଘଟଣା ମନ୍ତ୍ରୀ ଜାଣିଛନ୍ତି । ସେ ପଦରେ ରହିଲେ ସଠିକ ତଦନ୍ତ ହୋଇପାରିବ ନାହିଁ । ତେଣୁ ତାଙ୍କୁ ବହିଷ୍କାର କରିବା ସହ କମିଶନ ଘଟଣାରେ ହସ୍ତକ୍ଷେପ କରିବାକୁ ଦଳ ଦାବି କରିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ