ଭୁବନେଶ୍ବର: ପୁଣି ଅଡୁଆରେ ହାସ୍ୟ ଅଭିନେତା ପମୁ ପମ୍ପମ୍ ଓରଫ ତତ୍ତ୍ବ ପ୍ରକାଶ ଶତପଥୀ । ନିଜର ଅପକମିଂ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟର ପାଇଁ ବିବାଦ ଘେରକୁ ଚାଲିଆସିଛନ୍ତି ସେ । ଗତ ଶୁକ୍ରବାର ଏହି ପୋଷ୍ଟର ରିଲିଜ୍ ହେବା ପରେ ବିଜୁଳି ବେଗରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ବ୍ୟବହାରକାରୀ ପପୁଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । କେବଳ ସାଧାରଣ ଲୋକେ ନୁହେଁ ଦୌଡ ରାଣୀ ଦୂତି ଚାନ୍ଦ ମଧ୍ୟ ଏହି ପୋଷ୍ଟରକୁ କଡା ସମାଲୋଚନା କରିଛନ୍ତି ।
ଏହି ପୋଷ୍ଟରରେ ସାମ୍ନାରେ ବସିଛନ୍ତି 7 ଜଣ ମହିଳା । ସେମାନଙ୍କୁ ଦୌଡି ସାହାଯ୍ୟରେ ଟାଣି ଧରିଛନ୍ତି ଅଭିନେତା ପପୁ । ଏହି ପୋଷ୍ଟରକୁ ସାଧାରଣରେ ପସନ୍ଦ କରାଯାଉନଥିବା ବେଳେ ମାମଲା ଯାଇ ପହଞ୍ଚିଛି ଥାନାରେ । ମହିଳାଙ୍କ ପ୍ରତି ଏ କି ପ୍ରକାର ସମ୍ମାନ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏହି ଫିଲ୍ମ ନିର୍ମାଣ କରୁଥିବା ପ୍ରଯୋଜନା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । ସେପଟେ ପୋଷ୍ଟରକୁ ନେଇ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଛନ୍ତି ଅଭିନେତା ପପୁ । କିନ୍ତୁ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଏନେଇ ନିଜର ମତାବତ ଦେଇଛନ୍ତି । ଏଭଳି ଫିଲ୍ମକୁ ସେନସର କେବେବି ଅନୁମତି ଦେଇ ନଥିବା ବୋଲି ସେ କହିଛନ୍ତି । ଏହାସହ କିଭଳି ଭାବରେ ମହିଳାଙ୍କୁ ଏଠାରେ ଦର୍ଶାଯାଇଛି ତାହା ତାଙ୍କ ପ୍ରତି ଅସମ୍ମାନ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ, ଅସୁସ୍ଥତା ଯୋଗୁଁ ପପୁ କିଛି ଦିନ ହେଲା ରୂପେଲି ପରଦାରୁ ଦୂରେଇ ରହିଥିଲେ । କିଛି ମାସ ପୂର୍ବରୁ ତାଙ୍କ ନିର୍ଦ୍ଦେଶିତ ଚିରକୁଟ୍ ଫିଲ୍ମ ରିଲିଜ୍ ହୋଇଥିଲା । ଏବେ ‘ମିଷ୍ଟର କହ୍ନେୟା’ ଜରିଆରେ ପ୍ରତ୍ୟକ୍ଷ ଭାବେ ସିନେମା ଦୁନିଆକୁ ଫେରିଛନ୍ତି ପପୁ । କିନ୍ତୁ ସିନେମା ରିଲିଜ୍ ପୂର୍ବରୁ ଚଳଚ୍ଚିତ୍ରଟି ବିବାଦ ଘେରକୁ ଚାଲିଆସିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ