ଭୁବନେଶ୍ବର: ଦୁର୍ଘଟଣାର ବ୍ଲାକ ସ୍ପଟ୍ ପାଲଟିଛି ରସୁଲଗଡ଼ ପଳାଶୁଣି ଛକ । ଏଠାରେ ଦୁର୍ଘଟଣା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ବହୁ ମୃତାହତ ହୋଇଛନ୍ତି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ପରିପ୍ରେକ୍ଷୀରେ ସାଂସଦ ମଙ୍ଗଳବାର NHAIର ଆଞ୍ଚଳିକ ଅଧିକାରୀଙ୍କ ସହ ପଳାଶୁଣି ଛକରେ ପହଞ୍ଚି ଲିଫ୍ଟ ସୁବିଧା ଥିବା ଫୁଟ୍ ଓଭର ବ୍ରିଜ(Lift Foot Over bridge) ନିର୍ମାଣ ସମ୍ପର୍କରେ ଆଲୋଚନା କରିଛନ୍ତି ।
![ପଳାଶୁଣିରେ ହେବ ଲିଫ୍ଟ ଫୁଟ୍ ଅଭରବ୍ରିଜ, ସୂଚନା ଦେଲେ ସାଂସଦ ଅପରାଜିତା](https://etvbharatimages.akamaized.net/etvbharat/prod-images/od-bbsr-05-aparajitasarangi_12042022225817_1204f_1649784497_382.jpg)
ପ୍ରାୟ ୨ କୋଟି ବ୍ୟୟରେ ଏହି ଅତ୍ୟାଧୁନିକ ଲିଫ୍ଟ ଫୁଟ ଓଭରବ୍ରିଜ ତିଆରି ହେବ । ଜୁଲାଇ ମାସରେ ନିର୍ମାଣ କାମ ଆରମ୍ଭ ହୋଇ ଦଶହରାରେ ଉଦଘାଟନ ହେବ । ଏଠାରେ ଦୁଇ ଜଣ ବେକାରି ଯୁବକଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ । ଏଥିସହ ସାଢେ ୩ କୋଟି ଟଙ୍କା ଲେଖାଏଁ ବ୍ୟୟରେ ସତସଙ୍ଗ ବିହାର ଏବଂ ହୋଟେଲ କ୍ରାଉନ ନିକଟରେ ୨ଟି ଫୁଟ୍ ଓଭର ବ୍ରିଜ ନିର୍ମାଣ ପାଇଁ ମଧ୍ୟ ଅନୁମତି ମିଳିସାରିଛି । ଭୁବନେଶ୍ବରର କ୍ୟାପିଟାଲ ରିଜନ ରିଙ୍ଗ ରୋଡ ପାଇଁ ବ୍ୟୟ ଅଟକଳ ହୋଇଛି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଛନ୍ତି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
![ପଳାଶୁଣିରେ ହେବ ଲିଫ୍ଟ ଫୁଟ୍ ଅଭରବ୍ରିଜ, ସୂଚନା ଦେଲେ ସାଂସଦ ଅପରାଜିତା](https://etvbharatimages.akamaized.net/etvbharat/prod-images/od-bbsr-05-aparajitasarangi_12042022225817_1204f_1649784497_894.jpg)
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ