ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (Mass Educations Department) ସହିତ ଅନଏକାଡେମୀର (Unacademy) ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଲୋକସେବା (Lokseba Bhawan) ଭବନର ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ମାନସିକ ଦକ୍ଷତାର ବିକାଶ ଲାଗି ଏହି ପଦକ୍ଷେପ ନିଆଯାଇଛି ।
ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଓ ପ୍ରବେଶିକା ପରୀକ୍ଷା ଗୁଡିକରେ ରାଜ୍ୟର ଛାତ୍ରଛାତ୍ରୀ ସଫଳତା ହାସଲ ଲାଗି ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବେଙ୍ଗାଲୁରୁର ଅନଏକାଡେମୀ ମଧ୍ୟରେ ଏହି ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହା ଦ୍ବାରା ସରକାରୀ ସ୍କୁଲରେ ପଢୁଥିବା ଦଶମ, ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏହି ଅନୁଷ୍ଠାନ ଦ୍ବାରା ପ୍ରତ୍ୟକ୍ଷ ଭାବରେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ପାଇବେ । ଦେଶର ବଛାବଛା ସୁନାମଧନ୍ୟ ଏବଂ ଉଚ୍ଚ ଯୋଗ୍ୟତା ସଂପନ୍ନ ଶିକ୍ଷକଠାରୁ ଶିକ୍ଷାଲାଭର ସୁଯୋଗ ପାଇବେ ।
ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ପ୍ରବେଶିକା ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରିପାରିବେ । ଏହି ବୁଝାମଣାପତ୍ରର ଅବଧି ୩ ବର୍ଷ ମଧ୍ୟରେ ବର୍ଷକୁ ଏକ ହଜାର ଛାତ୍ରଛାତ୍ରୀ ଲେଖାଏଁ ତିନି ହଜାର ଛାତ୍ରଛାତ୍ରୀ ଏହି ସୁଯୋଗ ଉପଭୋଗ କରିପାରିବେ ବୋଲି ଉନ୍ନୟନ କମିଶନର କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି । ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବିନାମୂଲ୍ୟରେ ଶିକ୍ଷାବୃତ୍ତି ପ୍ରଦାନ । ତଥା ମାନସିକ ଦକ୍ଷତା ଏବଂ ପ୍ରବୃତ୍ତି ଆଧାରିତ ପରୀକ୍ଷା ପରିଚାଳନା କରି ଏହାର ଫଳାଫଳକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରବେଶିକା ପରୀକ୍ଷା ନିମନ୍ତେ ଅନଏକାଡେମୀ ଗ୍ରହଣ କରିବାକୁ ଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି ।
ପ୍ରତିଯୋଗିତାମୂଳକ ପରୀକ୍ଷା ଗୁଡିକରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କର ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବା ପାଇଁ ଅନୁପ୍ରେରିତ ତଥା ତ୍ବରାନ୍ବିତ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ସମସ୍ତ ବିଭାଗୀୟ ନିର୍ଦ୍ଦେଶକ ତଥା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମଗ୍ର ଶିକ୍ଷାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଓ ଅନଏକାଡେମୀ ତରଫରୁ ବରିଷ୍ଠ ଉପସଭାପତି ଜୟନ ମୋଦି ଉକ୍ତ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି ।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ମନୋଜ କୁମାର ମିଶ୍ର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ନିର୍ଦ୍ଦେଶକ, ଅନ୍ୟାନ୍ୟ ଅଧିକାରୀ ତଥା ଅନଏକାଡେମୀ ଅନୁଷ୍ଠାନର କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ