ଭୁବନେଶ୍ବର: ଭିକରେ ମାଆ ମାଗୁଛି ପୁଅର ଜୀବନ । ଅଭିଯୋଗ ବି କିଛି ନାହିଁ । କେବଳ ସାହାଯ୍ୟ ଲାଗି ନବୀନ ନିବାସ ଆଗ ରାସ୍ତାରେ ବସି ତାଙ୍କ ପୁଅକୁ ବଞ୍ଚାଇ ଦିଅ ବୋଲି ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି । ନବୀନ ନୀବାସ ବାହାରେ ରୋଗୀଣା ପୁଅକୁ ଧରି ସରକାରଙ୍କୁ ଗୁହାରୀ କରୁଛି ମାଆ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ଆମ୍ବପଡା ଗାଁର କୁଳମଣି ରଣାଙ୍କ ୧୮ ମାସର ପୁଅ ରାଜବୀର । ରାଜବୀର ସ୍ପାଇନାଲ ମସ୍କ୍ୟୁଲାର ଆଟ୍ରୋଫି (Spinal Muscular Atrophy) ରୋଗରେ ପୀଡ଼ିତ । ପିଲାଟିକୁ ସ୍ପାଇନାଲ ମସ୍କ୍ୟୁଲାର ଆଟ୍ରୋଫି ଟାଇପ ୨ ରୋଗ ହୋଇଛି । ଆମେରିକାରୁ ଇଞ୍ଜେକ୍ସନ ଆସିଲେ ପିଲାଟି ଭଲ ହେବ । ଏହି ଇଞ୍ଜେକ୍ସନର ଦାମ୍ ୧୬ କୋଟି ହୋଇଥିବାବେଳେ ଡେଲିଭରି ବୟ ଭାବେ କାମ କରୁଥିବା ପିଲାଟିର ବାପାଙ୍କ ପକ୍ଷରେ ଏହା ସମ୍ଭବ ହେଉନି ।
ଚିକିତ୍ସାରେ ଆବଶ୍ୟକ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ୍, ମାଆ ଭିକରେ ମାଗୁଛି କୁନି ପୁଅର ଜୀବନ ରାଜବୀର ବାଙ୍ଗାଲୋର ସ୍ଥିତ ହାପିଷ୍ଟ ହସ୍ପିଟାଲ ସହ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହୋଇଛି । ଶିଶୁର ଚିକିତ୍ସା ଲାଗି କେବଳ ଇଞ୍ଜେକ୍ସନ ହିଁ ସାହା । ତେଣୁ ପୁଅକୁ ଭଲ କରିବା ପାଇଁ ଅସହାୟ ବାପାମାଆ ସରକାରୀ ସାହାଯ୍ୟ ମାଗୁଛି ମାଆ । କୌଣସି ସହାୟତା ନମିଳିବାରୁ ଆଜି ସେ ଆସି ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ । ସାଙ୍ଗରେ ପ୍ରଭୁ ଜଗନ୍ନାଥ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋ ଧରି ଧାରଣାକୁ ଆସିଥିଲେ । ଅପରାହ୍ନ 2ଟାରୁ ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ ପରିବାର ଲୋକ । ନବୀନ ନିବାସ ସୁରକ୍ଷା କର୍ମୀ, ଏୟାର ପୋର୍ଟ ଥାନା ଅଧିକାରୀ, ସ୍ଥାନୀୟ ଏସିପିଙ୍କ ସମେତ ବହୁ ଅଧିକାରୀ ତାଙ୍କୁ ଧାରଣାରୁ ଉଠିବା ପାଇଁ ବୁଝାସୁଝା କରିଥିଲେ । ହେଲେ ପୁଅର ଜୀବନ ପାଇଁ କାହାରି କଥା ଶୁଣିନଥିଲେ ମାଆ ଜଣକ । ଘଟଣାସ୍ଥଳରେ ଭୁବନେଶ୍ୱର ଡ଼ିସିପି ଉମାଶଙ୍କର ଦାସ ପହଁଞ୍ଚି ମହିଳାଙ୍କୁ ବୁଝାସୁଝା କରିଥିଲେ । ବିଫଳ ହେବାରୁ ସେ ନବୀନ ନିବାସ ଯାଇ ଆଲୋଚନା କରିଥିଲେ । ଏହାପରେ କ୍ୟାପିଟାଲ ହସ୍ପିଟାଲର ଜଣେ ମହିଳା ଡାକ୍ତର ଓ ଆମ୍ବୁଲାନ୍ସ ସେଠାରେ ପହଁଚିଥିଲା । ଶିଶୁର ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତୁରନ୍ତ ଏନେଇ ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ବର ଡିସିପି ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି । ଏହାପରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ