ଭୁବନେଶ୍ବର: ଧରାପଡିଲା ମୋଷ୍ଟ ୱାଣ୍ଟେଡ ପାଟୁ ଗ୍ୟାଙ୍ଗ । ୪ ବର୍ଷ ତଳେ ଏନକାଉଣ୍ଟରରେ ଘାଇଲା ହୋଇଥିଲା ପାଟୁ । ଏନକାଉଣ୍ଟର ପରେ ମଧ୍ୟ ଛାଡିନଥିଲା ଅଭ୍ୟାସ। ଜେଲରୁ ଫେରି ପୁଣି ଲୁଟ ପାଟ ଆରମ୍ଭ କରିଥିଲା ଏହି ଲୁଟେରା । ଏନକାଉଣ୍ଟର ପାଇଁ ପୋଲିସ ଉପରେ ରଖିଥିଲା ରାଗ । ରାସ୍ତା ଉପରୁ, ନିଛାଟିଆ ସ୍ଥାନରୁ ସୁନାଚେନ ଝାମ୍ପି ହେଉଥିଲା ଫେରାର। ଏଭଳି ଢଙ୍ଗରେ ଚଳାଇଥିଲା ଲୁଟପାଟ । ଏବେ କମିଶନରେଟ ପୋଲିସ କବଜାରେ । ମାଷ୍ଟରମାଇଣ୍ଡ ପାଟୁ ଓରଫ ସାହାଜାହାନ ଖାନ ସହ ସହଯୋଗୀ ଏସକେ ସାହିଦ, ଜଲାଉଦ୍ଦିନ ଖାନ ଓ ପ୍ରଶାନ୍ତ ଭୋଇକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ ଟିମ । ସେମାନଙ୍କଠାରୁ ଏମଟି-୧୫ ବାଇକ, ୭୦ ହଜାର ଟଙ୍କା ସହ ଗୋଟିଏ ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ।
ପୋଲିସର ସୂଚନା ଅନୁସାରେ ବୃଦ୍ଧ ଲୋକ ଓ ମହିଳାଙ୍କୁ ଟାର୍ଗେଟ କରୁଥିଲା ଏହି ଗ୍ୟାଙ୍ଗ। ଡୁମୁଡୁମାରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଗନ ପଏଣ୍ଟରେ ୯୦ ହଜାର ଲୁଟିଥିଲା ଗ୍ୟାଙ୍ଗ । ସେହିପରି ବାଲିପାଟଣାରେ ବୃଦ୍ଧାଙ୍କ ବେକରୁ ସୁନା ଚେନ ଝାମ୍ପିବା ସହ ବିଭିନ୍ନ ଥାନା ଅଞ୍ଚଳରେ ଥିଲା ୧୯ ଟି ମାମଲା ।
ସୂଚନାଯୋଗ୍ୟଯେ ୨୦୧୬ ମାର୍ଚ ୩ ରେ ଲୁଟପାଟ ଉତ୍ପାତ ଯୋଗୁଁ ଧରିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରିଥିଲା କମିସନରେଟ ପୋଲିସ। ବର୍ତ୍ତମାନ ଏହିଗ୍ୟାଙ୍ଗର ୬ ଜଣଙ୍କ ମଧ୍ୟରୁ ୪ ଜଣକୁ ଗିରଫ କରିଛି ପୋଲିସ। ତେବେ ଅଳଙ୍କାର ରଖିଥିବା ଆଉ ୨ ଜଣକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି କମିସନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ