ଭୁବନେଶ୍ବର/ଯାଜପୁର: ଗୋଟିଏ ସ୍ଥାନରେ ଶତାଧିକ ଜୀବନ୍ତ ଓ ନଷ୍ଟ ସାପ ଭୃଣ ମିଳିବା ଆଶ୍ଚର୍ଯ୍ୟ ଜନକ କଥା । କିନ୍ତୁ ଏହା ସତ । ଏପରି କିଛି ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ । ଏକ ପରିତ୍ୟକ୍ତ ଇଟା ଭାଟିରୁ ମିଳିଛି ଏକକାଳୀନ ଶତାଧିକ ସାପ ଅଣ୍ଡା ।
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଠାକୁର ପାଟଣା ଗ୍ରାମର ଦିବ୍ୟରଞ୍ଜନ ବେହେରାଙ୍କ ଘର ବାଡ଼ିରେ ଅନେକ ବର୍ଷ ଧରି ଏକ ଇଟା ଭାଟି ଥିଲା । ଘର କାମ ପାଇଁ ଇଟା ଦରକାର ହେବାରୁ ପରିତ୍ୟକ୍ତ ଅବସ୍ଥାରେ ଥିବା ଇଟା ଭାଟିରୁ ଇଟା ବାହାର କରାଯାଇଥିଲା । ଇଟା ଗଦା ଭାଙ୍ଗି ଇଟା ବାହାର କରିବା ବେଳେ କିଛି ଧଳା ରଙ୍ଗର ଅଣ୍ଡା ଦେଖିବାକୁ ପାଇଥିଲେ ଶ୍ରମିକ । କେଉଁ ଅଣ୍ଡା ବୋଲି ଜାଣିବା ପାଇଁ ଗାଁ ଲୋକେ କିଛି ଅଣ୍ଡାକୁ ଫୁଟେଇବାରୁ ତା ଭିତରେ ସାପ ଛୁଆ ଭଳି ପଦାର୍ଥ ଦେଖିବାକୁ ପାଇଥିଲେ । କିଛି ନଷ୍ଟ କଲେ ମଧ୍ୟ ଇଟା ଗଦା ଭିତରୁ ଅଧିକରୁ ଅଧିକ ଅଣ୍ଡା ଅଲଗା ଅଲଗା ଜାଗାରୁ ମିଳିଥିଲା ।
ଅନେକ ଅଣ୍ଡା ଫାଟିଥିଲେ ବି ସାପ ଛୁଆଙ୍କର ଚିହ୍ନ ବର୍ଣ୍ଣ ନଥିଲା । ଅର୍ଥାତ ଅଜଣା ସାପ ଛୁଆ ମାନେ ଅଣ୍ଡାରୁ ବାହାରି କେଉଁ ଆଡେ ପଳେଇଥିଲେ । ଅଧିକ ଭୟଭୀତ ହୋଇ ଗାଁ ଲୋକେ ସ୍ନେକ ହେଲ୍ପ ଲାଇନର ସହଯୋଗ ଲୋଡିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ଏବଂ ଚିତ୍ତ ରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଇଟା ଭାଟିରୁ ଅନେକ ପରିତ୍ୟକ୍ତ ଅଣ୍ଡା ଖୋଳ ବାହାର କରିଥିଲେ । ପ୍ରାୟ 55 ଟି କଣା ଥିବା ପରିତ୍ୟକ୍ତ ଅଣ୍ଡା ଖୋଳ ଚିହ୍ନଟ ହୋଇଛି । ଅନେକ ପୁରୁଣା ଅଣ୍ଡା ଖୋଳ ଭାଙ୍ଗି ଛୋଟ ଛୋଟ ଖୋଳପା ହୋଇଯାଇଛି ।
ଯାହା ପ୍ରାୟ 100 ରୁ 150 ହେବ ଅଣ୍ଡାରୁ ଖୋଳପା ବାହାରିଥିବା ଅନୁମାନ କରାଯାଉଛି । ଲୋକମାନେ 8 ଟି ଅଣ୍ଡାକୁ ଫୁଟେଇ ଦେଇଥିବାରୁ ତା ଭିତରେ ଥିବା ଭ୍ରୁଣ ଗୁଡିକ ମରି ଯାଇଥିଲେ । ଆଉ ମାତ୍ର 12 ଅଣ୍ଡା ସୁସ୍ଥ ଅବସ୍ଥାରେ ଥିଲେ । ମାଟି ତଳେ ଥିବା ଇଟା ଭିତରରେ ଅଧିକ ଅଣ୍ଡା ବା ପରିତ୍ୟକ୍ତ ଖୋଳ ବାହାରିବାର ମଧ୍ୟ ସମ୍ଭାବନା ଅଛି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ ସାହୁ କହିଛନ୍ତି ଯେ, ଅଣ୍ଡା ଖୋଳ ଗୁଡିକ ଅନେକ ପୁରୁଣା ଏବଂ ପ୍ରାୟ 2-3 ବର୍ଷରୁ ଅଧିକ ସମୟ ପୂର୍ବର ହୋଇଥାଇପାରେ ବୋଲି କହିଛନ୍ତି । ଯେଉଁ ଅଣ୍ଡା ଭଲ ଅବସ୍ଥାରେ ଅଛି, ତାକୁ ସ୍ନେକ ହେଲ୍ପ ଲାଇନ ତରଫରୁ ଯତ୍ନ ନିଆଯିବ ।
ଯଦି ଛୁଆ ଫୁଟେ ତେବେ ସେ ସବୁକୁ ଉପଯୁକ୍ତ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯିବ । ତେବେ ଏହା କେଉଁ ସାପର ଅଣ୍ଡା ଏବେଠାରୁ କହିବା ସମ୍ଭବ ନୁହେଁ । ତେବେ ନାଗ ସାପ ମାନେ ନିଜର ଅଣ୍ଡାକୁ ଫୁଟିବା ପର୍ଯ୍ୟନ୍ତ ଜଗି ରହିଥାନ୍ତି । ଯଦିଓ ସେଇ ଜାଗାରେ 2-3 ଟି ବଡ ନାଗ ସାପର ଛିଣ୍ଡା କାତି ଦେଖିବାକୁ ମିଳିଥିଲା । କିନ୍ତୁ ଏଇ ଜାଗାରେ କୌଣସି ନାଗ ସାପ ଦେଖିବାକୁ ମିଳିନଥିଲା ବୋଲି ପ୍ରମୋଦ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ