ଭୁବନେଶ୍ବର: ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର(ଏସଆରସି) ବିଷ୍ଣୁପଦ ସେଠୀ । ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସ୍ବାଭାବିକ ହେବା ସହ, ବିପଦ ଟଳୁଥିବା କହିଛନ୍ତି ଏସଆରସି ।
ବିଗତ 24 ଘଣ୍ଟା ଭିତରେ ରାଜ୍ୟର ବଲାଙ୍ଗୀର ଓ ବରଗଡ଼ରେ 100 ମିଲିମିଟର ଅଧିକ ବର୍ଷା ହୋଇଛି । ଅନ୍ୟ 17ଟି ବ୍ଲକରେ 100 ରୁ 200 ମିଲିମିଟର ବର୍ଷା ହୋଇଥିବା ଏସଆରସି ଜଣାଇଛନ୍ତି। ଏହାସହ ବଲାଙ୍ଗୀରରେ ସର୍ବାଧିକ ୫୫୦ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସେ କହିଛନ୍ତି।
ରାଜ୍ୟର 8ଟି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି । କୌଣସି ଜାଗାରେ ବର୍ଷା ଯୋଗୁଁ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ । 18ଟି ଓଡ୍ରାଫ ଟିମ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି । ଉପକୂଳ ଓଡିଶାରେ ବର୍ଷା ନଥିବାରୁ ବନ୍ୟା ଆଶଙ୍କା କମ ରହିଛି । ହୀରାକୁଦରେ ଜଳ ନିଷ୍କାସନକୁ ନେଇ ମହାନଦୀରେ ବନ୍ୟା ଆଶଙ୍କା କମ ରହିଥିବା ମଧ୍ୟ ସେ କହିଛନ୍ତି।
ପୂର୍ବରୁ ବଲାଙ୍ଗୀରରେ କେବେ ଏତେ ପରିମାଣରେ ବର୍ଷା ହେବାର ନଜିର ନଥିଲା। ଏହା ପ୍ରଥମ ଥର ପାଇଁ ହୋଇଛି । ତରଭାରେ ଗତକାଲି ପ୍ରବଳ ବର୍ଷା ହେବା ଯୋଗୁଁ କିଛି ଲୋକ ପାଣି ଘେରରେ ରହି ଯାଇଥିଲେ। ସେମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ