ଭୁବନେଶ୍ବର: ଆଜିଠୁ ଓଡିଶାରୁ ବିଦାୟ ନେବ ମୌସୁମୀ । ସାଧାରଣତଃ ଅକ୍ଟୋବର ୧୫ ବେଳକୁ ଓଡିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ । କିନ୍ତୁ ଚଳିତ ବର୍ଷ ଏହା ଫେରିବାରେ ୭ ଦିନ ବିଳମ୍ବ କରିଛି ।
ଏଥର ଠିକ୍ ସମୟରେ ଓଡିଶାକୁ ମୌସୁମୀ ପ୍ରବେଶ କରିଥିଲା । ମାତ୍ର ଚଳିତ ବର୍ଷ ମୌସୁମୀର ପ୍ରଭାବ ଓଡିଶାରେ ଅସ୍ବାଭାବିକ ଥିଲା । ଜୁଲାଇ ଅଗଷ୍ଟରେ ରାଜ୍ୟରେ ଭଲ ବର୍ଷା ହୋଇନଥିବାବେଳେ ସେପ୍ଟେମ୍ବରରେ ପ୍ରବଳ ବର୍ଷିଥିଲା । ଏପରିକି ୧୯୪୬ ମସିହାରୁ ୨୦୨୧ ମଧ୍ୟରେ ଗତ ସେପ୍ଟେମ୍ବରରେ ହୋଇଥିବା ବର୍ଷା ଚତୁର୍ଥ ସର୍ବାଧିକ ବର୍ଷା ଅଟେ । ମାତ୍ର ଜୁଲାଇ ଅଗଷ୍ଟରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ବିଭିନ୍ନ ସ୍ଥାନରେ ମରୁଡି ପରିସ୍ଥିତି ସୃଷ୍ଟି କରିଥିଲା ।
ସେହିପରି ଜୁନରୁ ସେପ୍ଟେମ୍ବର ମଧ୍ୟରେ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଅକ୍ଟୋବରରେ ୨ଟି ଲଘୁଚାପ ହୋଇଥିଲା । ଅନ୍ୟପଟେ ଚଳିତ ମୌସୁମୀରେ ପୁରୀ ଓ ଜଗତସିଂହପୁରରେ ସ୍ବାଭାବିକ ଠାରୁ ଖୁବ୍ ଅଧିକ ବର୍ଷ ରେକର୍ଡ ହୋଇଛି । ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ସମ୍ବଲପୁର ଓ ଯାଜପୁର ଆଦି ଜିଲ୍ଲାରେ ସ୍ବାଭାବିକ ଠାକୁ କମ୍ ବର୍ଷା ହୋଇଛି । ଅବଶିଷ୍ଟ ଜିଲ୍ଲାଗୁଡିକରେ ସ୍ବାଭାବିକ ବର୍ଷା ହୋଇଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୧୧୪୬ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ଠାରୁ ୯ ପ୍ରତିଶତ କମ୍ । କେବଳ ସେପ୍ଟେମ୍ବରରେ ରାଜ୍ୟରେ ସ୍ବାଭାବିକ ଠାରୁ ୭୦ ପ୍ରତିଶତ ଅଧିକ ବର୍ଷ ହୋଇଛି ।
ସାଧାରଣତଃ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ସେପ୍ଟେମ୍ବର ୧ରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଥାଏ । ଏହାର ୪୫ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୫ରୁ ଓଡିଶାରୁ ମୌସୁମୀ ଫେରିବା ଆରମ୍ଭ କରେ । କିନ୍ତୁ ଚଳିତ ବର୍ଷ ୩୬ ଦିନ ବିଳମ୍ବରେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ୩୬ ଦିନ ବିଳମ୍ବରେ ଆରମ୍ଭ ହୋଇଛି । ଯାହାଫଳରେ ନଭେମ୍ବର ଶେଷ ସପ୍ତାହରେ ଓଡିଶାରୁ ମୌସୁମୀ ଫେରିବାର ଥିଲା । କିନ୍ତୁ ଫେରିବା ପ୍ରକ୍ରିୟା ଶୀଘ୍ର ସରିଥିବାବେଳେ ମାତ୍ର ୨୦ ଦିନରେ ଓଡିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇଛି ।