ଭୁବନେଶ୍ବର: ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷର ହିସାବ ରାଜ୍ୟବାସୀଙ୍କ ନିକଟରେ ରଖିଲା ରାଜ୍ୟ ବିଜେପି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସବିଶେଷ ତଥ୍ୟ ରଖିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ତିନି ତଲାକ, ରାମ ମନ୍ଦିର, ଧାରା 370 ତଥା ଶରଣାର୍ଥୀଙ୍କ ପ୍ରସଙ୍ଗ ରାଜ୍ୟବାସୀଙ୍କ ସାମ୍ନାରେ ରଖିବା ସହ ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ସେହିପରି ପୂର୍ବ ଭାରତର ବିକାଶ ପାଇଁ ମୋଦି ସରକାର ଅନେକ ପଦକ୍ଷେପ ନେଇଛନ୍ତି । 2019-20ରେ 30 ହଜାର କୋଟି ଟଙ୍କା ଓଡିଶା ପାଇଛି । 2014-15ରୁ ଓଡିଶା 3, 68, 592 କୋଟି ଟଙ୍କା ପାଇଛି । ଯାହାକି ସର୍ବକାଳୀନ ରେକର୍ଡ । ଓଡିଶା ପ୍ରତି ଯେଉଁ ବୈମାତୃକ ମନୋଭାବ ହେଉ କି କେନ୍ଦ୍ରୀୟ ଅବହେଳା ଆଉ ପ୍ରସଙ୍ଗ ହୋଇନାହିଁ ବୋଲି ସମୀର କହିଛନ୍ତି ।
2020-21 ରେଳ ବଜେଟରେ 5296 କୋଟି ମିଳିଛି । 6 ବର୍ଷରେ 21 ହଜାର କୋଟି ଟଙ୍କା ମିଳିଛି । କୋଣାର୍କ ମନ୍ଦିର ପାଇଁ 25 କୋଟି ଟଙ୍କା ମିଳିଛି । ଓଡିଶାର 12 ଜଣଙ୍କୁ ସମ୍ମାନିତ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି ।

ସେପଟେ 2014ରେ ଗୋଟିଏ ସାଂସଦ ପାଇଥିଲୁ, ଏଥର 8 ଜଣ ପାଇଲୁ, 2 ଜଣ କେନ୍ଦ୍ରମନ୍ତ୍ରୀ ପାଇଛୁ । 3 ଜଣ ରାଜ୍ୟପାଳ ହୋଇଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ସେହିପରି ମୋଦିଙ୍କ ଶାସନରେ ଓଡିଆ ସମ୍ମାନିତ ହୋଇଛନ୍ତି । ପୂର୍ବ ଭାରତରେ ଓଡିଶା ଆଗରେ ରହିଛି । ଅଧିକ ଗୁରୁତ୍ଵ ମିଳିଛି । ଓଡିଆଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ଯେଉଁ ପ୍ରୟାସ କରିଛି ତାହା ଉଲ୍ଲେଖନୀୟ । କ୍ବାରେଣ୍ଟାଇନରେ ରହିଥିବା ଲୋକଙ୍କ ପାଇଁ 2149 କୋଟି ଟଙ୍କା ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ କେନ୍ଦ୍ର ଦେଇଛି ବୋଲି ମଧ୍ୟ ସେ ଦର୍ଶାଇଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରୁ ଓଡିଶା ଲାଭନ୍ବିତ ହୋଇଛନ୍ତି । ପିଏମ କିଷାନ ଯୋଜନାରେ 745 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଓଡିଶାର ମହିଳାଙ୍କ ଜନଧନ ଆକାଉଣ୍ଟକୁ 543 କୋଟି ଟଙ୍କା, ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ 47 ଲକ୍ଷ 47 ହଜାର ଟଙ୍କା ଓ ଉଜ୍ଜ୍ବଳା ହିତାଧିକାରୀଙ୍କ ପାଇଁ 1103 କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି । କୋଭିଡ ହସ୍ପିଟାଲରେ ନାଲକୋ, ଏନଟିପିସି, ଆଇଓସିଏଲ, ପାରାଦ୍ବୀପ ପୋର୍ଟ ସାମିଲ ହୋଇ ଆର୍ଥିକ ସହାୟତା ଦେଇଛନ୍ତି ବୋଲି ମଧ୍ୟ ସଭାପତି ସମୀର ମହାନ୍ତି ଆଜିର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ