ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ମୋବାଇଲ ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଛି । ଆଉ ରାସ୍ତାରେ ଗଲାବେଳେ ମୋବାଇଲରେ କଥା ହୋଇ ଯାଉଥିଲେ ହୋଇଯାଆନ୍ତୁ ସାବଧାନ । ରାଜଧାନୀରେ ମାତିଛନ୍ତି ନୂଆ ଲୁଟେରା ଗ୍ୟାଙ୍ଗ୍ । ରାସ୍ତାରେ ଏକୁଟିଆ ଦେଖି ଲୋକଙ୍କ ପାଖକୁ ଆସୁଛନ୍ତି । ଆଉ କାକୁତି ମିନତି ହୋଇ ଆଜ୍ଞା ଟିକେ ମୋବାଇଲ ଦିଅନ୍ତୁ, ସ୍ତ୍ରୀର ଦେହ ଖରାପ ଅଛି ସମ୍ପର୍କୀୟଙ୍କୁ କଲ କରିବି କହି ଲୁଟି ନେଉଛନ୍ତି ମୋବାଇଲ ଫୋନ୍ ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଧଉଳି ଅଞ୍ଚଳରେ । ଟିକେ ମୋବାଇଲ ଦିଅନ୍ତୁ ଆଜ୍ଞା ମୋର ମୋବାଇଲ ସୁଇଚ୍ ଅଫ ଅଛି । ଯଦି ଆପଣ ଟିକେ ମୋବାଇଲ ଦିଅନ୍ତେ ମୁଁ ଟିକେ ମୋର ପରିବାର ସହ କଥା ହୁଅନ୍ତୁ । ବାସ୍ ଏତିକି କହିବା ପରେ ଆପଣ ମୋବାଇଲ ତାଙ୍କ ହାତକୁ ଧରାଇଦେଲେ ମୋବାଇଲ ନେଇ ଛୁ' ମାରୁଛନ୍ତି । ଏଭଳି ଢଙ୍ଗରେ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କମିସନରେଟ ପୋଲିସ ।
ସେମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପବିତ୍ର ପ୍ରଧାନ, ପୁରୀ ଡେଲାଙ୍ଗର ବିଜୟ ସାହୁ, ଯାଜପୁର ମଙ୍ଗଳପୁରର ସ୍ମୃତିରଞ୍ଜନ ଦାସ ନାମକ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ସୁଚନାନୁଯାୟୀ ଗୁରୁବାର ରାତି ୨ଟା ୩୦ରେ ବାପୁଜୀ ହାଇଟସରୁ ଧଉଳି ଦେଇ ଦୀପକ ମଲ୍ଲିକ ନାମକ ବ୍ୟକ୍ତି ରବି ଟକିଜ୍ ଦେଇ ଘରକୁ ଫେରୁଥିଲେ । ଦୀପକ ମଲ୍ଲିକ ନାମକ ଜଣେ ଯୁବକ ଘରକୁ ଫେରୁଥିବା ବେଳେ ହଠାତ୍ ଅଭିଯୁକ୍ତମାନେ ତାଙ୍କ ଗାଡି ସାମ୍ନାକୁ ଆସିଯିବା ସହ କହିଥିଲେ ଆଜ୍ଞା ଟିକେ ଅରଞ୍ଜେଣ୍ଟ କଲ କରିବି ଟିକେ ସାହାର୍ଯ୍ୟ କରନ୍ତୁ । ଆପଣଙ୍କ ମୋବାଇଲ ଟିକେ ଦିଅନ୍ତୁ କଲ କରିବି । ସ୍ତ୍ରୀର ଦେହ ଖରାପ ଅଛି ସାଙ୍ଗକୁ କହିଛି ଟଙ୍କା ଆଣି ଆସୁଛି । କିଛି ସମୟ ପରେ ବ୍ୟକ୍ତି ଜଣକ ଅଭିଯୁକ୍ତଙ୍କ ହାତକୁ ମୋବାଇଲ ଧରାଇଦେବା ପରେ ମୋବାଇଲ ନେଇ ଚମ୍ପଟ ମାରିଥିଲେ 3 ଲୁଟେରା ।
ଏହି ମୋବାଇଲ ଲୁଟରେ 3 ଜଣ ବ୍ୟକ୍ତି ସାମିଲ ହୋଇଥିବା ବେଳେ ଏନେଇ ଧଉଳି ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ପୋଲିସ ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତକୁ ଗିରଫ କରିବା ସହ ମୋବାଇଲ ଫୋନ ସମେତ ଗୋଟିଏ ପ୍ଲାଟିନା ଗାଡିକୁ ଜବତ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ