ଭୁବନେଶ୍ବର: ଦେଶବ୍ୟାପୀ କୋରୋନା କଟକଣା । କୋରୋନା ବିଗାଡି ଦେଲା ସାଧାରଣ ଜୀବନ ଯାତ୍ରାକୁ, ଆଉ ଉଜାଡ଼ି ଦେଇଛି ମୋ ବସର ବ୍ୟବସ୍ଥାକୁ । ମାତ୍ର ୩ ମାସ ବ୍ୟବଧାନ ପରେ କୋରୋନାର ପ୍ରଭାବକୁ ନେଇ ଆମେ କରିଥିବା ଅନୁସନ୍ଧାନରୁ ଏମିତି କିଛି ଆଚମ୍ବିତ ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ହେଉଛି ମାତ୍ର ୮ ରୁ ୧୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ରାସ୍ତାରେ ଗଡୁଛି ମୋ ବସ । କୃଟ ଅଧୀନରେ ଚାଲୁଥିବା ମୋ ବସ କର୍ମଚାରୀ ଓ ଅଧିକାରୀମାନେ ହାତବାନ୍ଧି ବସିଛନ୍ତି ଅନିଶ୍ଚିତତା ଭିତରେ । ଏବେ ସମସ୍ତଙ୍କ ଅପେକ୍ଷା କେବେ ହଟିବ କୋରୋନା ଲକ ଡାଉନ କଟକଣା, ଆଉ କେବେ ସ୍ଥିତିରେ ଆସିବ ସୁଧାର ।
୨୦୧୮ ମସିହା ନଭେମ୍ବର ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ ସେବାର ଶୁଭାରମ୍ଭ କରିଥିଲେ । ପରେ ଏହି ଯୋଜନାକୁ ମିଲିଥିଲା ଭରପୂର ଉତ୍ସାହ । ଖୁବକମ ଦିନ ଭିତରେ ଆରମ୍ଭ ହୋଇଥିବା ମୋ ବସ ସେବା ଲୋକପ୍ରିୟତା ହାସଲ କରିଥିଲା । ଘରୋଇ ଯାତ୍ରୀ ସେବା ତୁଳନାରେ ଯାତ୍ରୀ ମାନଙ୍କର ପ୍ରଥମ ପସନ୍ଦ ହୋଇଥିଲା ମୋ ବସ କାରଣ ତ୍ବରିତ ସମୟରେ ଏବଂ କମ ପଇସାରେ ଲୋକମାନେ ଗନ୍ତବ୍ୟ ସ୍ଥଳରେ ପହଂଚି ପାରୁଥିଲେ । ଗତ ମାର୍ଚ୍ଚ ମାସରୁ ବଦଳିଗଲା ସବୁ ଚିତ୍ର । କରୋନା କଟକଣା ଉଜାଡି ଦେଲା ପୂରା ବ୍ୟବସ୍ଥାକୁ । ମାର୍ଚ୍ଚ ୨୨ ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ଲକ ଡାଉନ କଟକଣା ଘୋଷଣା ପରେ ହଠାତ ଠପ ହୋଇଗଲା ମୋ ବସ । ଆଉ ତା ପରେ ସାଢେ ତିନି ମାସର ଚିତ୍ର ବୟାନ କରୁଛି ମୋ ବସର ଅବସ୍ଥା ଏବେ କେତେ ଦୟନୀୟ ।
ପୂର୍ବରୁ ଦୈନିକ ପ୍ରାୟ ୨୦୦ ମୋ ବସ ରାସ୍ତାରେ ଗଡୁଥିବା ବେଳେ ଏବେ ୬୦ଟି ବସ ରାସ୍ତାରେ ଗଡୁଛି । ଦୈନିକ ୧ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରୀ ଯିବା ଆସିବା କରୁଥିଲେ ହେଲେ ଏବେ ୧୦ ରୁ ୧୨ ହଜାର ଯାତ୍ରୀ ଦୈନିକ ଯିବା ଆସିବା କରୁଛନ୍ତି । ଦୈନିକ ୧୮୦୦ ଟ୍ରିପରୁ ଏବେ ଦୈନିକ ୫୦୦ ଟ୍ରିପ ହେଉଛି । ଏହା ହେଉଛି କରୋନା ଲକ ଡାଉନ କଟକଣାର ପ୍ରଭାବ । ଜୁନ ମାସରେ ଅବସ୍ଥା ଦୟନୀୟ ହୋଇଛି । ସରକାରୀ ତଥ୍ୟ କହୁଛି ମାର୍ଚ୍ଚ ମାସ ପୂର୍ବରୁ ଦୈନିକ ସ୍ମାର୍ଟସିଟି ଭୁବନେଶ୍ବରରେ ମୋ ବସରେ ହାରାହାରି ଯାତ୍ରୀଙ୍କ ଯିବା ଆସିବା ସଂଖ୍ୟା ଥିଲା ଏକ ଲକ୍ଷ ୧୫ ହଜାର । କିନ୍ତୁ ଜୁନ ମାସ ଶେଷ ଭାଗରେ ଏ ସ୍ଥିତି ଅତ୍ୟନ୍ତ ଦୟନୀୟ । ଜୁନ ମାସ ଶେଷ ସୁଦ୍ଧା କୋରୋନା କଟକଣା କାରଣରୁ ପ୍ରାରମ୍ଭିକ ଅବସ୍ଥାରେ ଏ ସ୍ଥିତି ଯାତ୍ରୀ ସେବା ସାମୟିକ ବନ୍ଦ ହୋଇଥିଲା ଏବେ କଟକଣା କୋହଳ ହେବା ପରେ ଆରମ୍ଭ ହେଲା ମୋ ବସ ସେବା ।
କିନ୍ତୁ ସ୍ଥିତିରେ ସୁଧାର ଆସିଲାନି,ଦୈନିକ ଏକ ଲକ୍ଷରୁ ଅଧିକ ଯାତ୍ରୀରୁ ଏବେ ଦିନକୁ ମାତ୍ର ୧୦ ହଜାରରୁ ୧୫ ହଜାର ଯାତ୍ରୀ ସୀମିତ ରହିଛନ୍ତି । ଅର୍ଥାତ ଦୈନିକ ଆୟର ୧୦ ପ୍ରତିଶତ ଆୟରେ ଚାଲୁଛି ମୋ ବସ ସେବା ।
କୃଟ କତ୍ତୃପକ୍ଷ ଆଶା ରଖୁଥିଲେ ଅନ୍ୟ ଯାତ୍ରୀ ପରିବହନ ସେବା ବନ୍ଦ ରହିଥିବା କାରଣରୁ କୃଟ ମୋ ବସ ଭଲ ଲୋକ ଗ୍ରହଣୀୟତା ରହିବ । କିନ୍ତୁ ଗତ ଦୁଇ ମାସ ଭିତରେ ଏହା ଭୁଲ ପ୍ରମାଣିତ ହୋଇଛି । ଲୋକମାନେ ବା ଯାତ୍ରୀମାନେ ନିଜର ଯାତାୟାତ ପାଇଁ ବ୍ୟକ୍ତିଗତ ଯାନ ଉପରେ ଅଧିକା ନିର୍ଭର କରୁଛନ୍ତି ଏବଂ ମୋ ବସ କୁ ହତାଦର କରୁଛନ୍ତି । ଯାହାର ପ୍ରତିଫଳନ ହେଉଛି ମୋ ବସ ସେବାର ଆୟ ଉପରେ ।
ଯାତ୍ରୀ ମାନଙ୍କ କହିବା କଥା ଭୟ ଲାଗୁଛି ଗୋଟିଏ ବସରେ ଅଧିକ ଯାତ୍ରୀ ଗଲେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ମୋ ବସର ଗାଇଡଙ୍କ ମତ ହେଉଛି ଯାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଏବଂ ଯାହା ଯାତ୍ରୀ ହେଉଛନ୍ତି ସେଥିରେ ତେଲ ପଇସା ବି ଉଠୁନି । ହୁଏତ ଏମିତି ସମୟ ଆସିବ ଦରମା ମିଳିବାକୁ କଷ୍ଟ ହେବ ।
ଲକ ଡାଉନ ୧,୨,୩ ଏବଂ ଅନଲକ୍ ୧ ଏବଂ ୨ ରେ ଆୟକୁ ଦେଖି ଅଧିକାଂଶ ଘରୋଇ ବସ ମାଲିକମାନେ ବସକୁ ବନ୍ଦ କରିଥିଲେ । ସେହି କାରଣରୁ ଏପର୍ଯ୍ୟନ୍ତ ରାଜ୍ୟରେ ଘରୋଇ ବସ ସେବା ସ୍ବାଭାବିକ ହୋଇପାରୁ ନାହିଁ । ଅନ୍ୟପକ୍ଷରେ ଲୋକଙ୍କ ସୁବିଧା ପାଇଁ ସରକାର ମୋ ବସ ସେବାକୁ ନିୟୋଜିତ କରିବାକୁ ଉଦ୍ୟମ କରୁଥିବାବେଳେ ଲୋକଙ୍କ ଭୟ ଯୋଗୁଁ ମୋ ବସ ସେବାର ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଟାଣି ନେଇଛି । ଯଦି ସ୍ଥିତି ଏମିତି ରୁହେ ଆସନ୍ତା କିଛି ମାସରେ କୃଟ କତ୍ତୃପକ୍ଷ ଏ ସେବାକୁ କିପରି ତ୍ବରାନ୍ବିତ କରିବେ ସେ ନେଇ ପ୍ରଶ୍ନ ଉଠିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ