ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପ୍ଲାଷ୍ଟିକ ବ୍ୟାନ ନିୟମ ପରେ ବର୍ତ୍ତମାନ ବଜାରରେ ବଢିଛି ଖଲି ପତ୍ରର ଚାହିଦା । ହେଲେ ଖଲି ପତ୍ରର ଚାହିଦା ଅନୁସାରେ ଏବେ ପତ୍ରରେ ଦେଖାଦେଇଛି ସଙ୍କଟ । ବିଶେଷ କରି ଖଲି ପତ୍ର ଆମେ ଶାଳ ପତ୍ରରେ ଦେଖିବାକୁ ପାଇଥାଉ । କିନ୍ତୁ ଏବେ ବଜାରରେ ଦେଖିବାକୁ ମିଳୁଛି ଗୁଆ ପାଟୁଆରୁ ତିଆରି ଖଲିପତ୍ର ପ୍ଲେଟ । ରାଜଧାନୀରେ ଚାଲୁଥିବା 'ମିଶନ ଶକ୍ତି' ମେଳାରେ ଏହି ଖଲି ଏବଂ ପ୍ଲେଟ ଦେଖିବାକୁ ମିଳିଛି । ଯାହା ଲୋକଙ୍କୁ ମଧ୍ୟ ବେଶ ଆକର୍ଷଣ କରୁଛି ।
ସୂଚନାଯୋଗ୍ୟ, ବୁଧବାର ଠାରୁ ରାଜଧାନୀରେ ଆରମ୍ଭ ହୋଇଛି ମିଶନ ଶକ୍ତି ମେଳା । ଏହି ମେଳାରେ କେବଳ ମହିଳା ଏସଏସଜି ଗ୍ରୁପ ନିଜର ଜିନିଷ ପତ୍ର ଲୋକଙ୍କୁ ବିକ୍ରି କରିବା ସହ ପ୍ରଦର୍ଶନ କରୁଛନ୍ତି । ମିଶନ ଶକ୍ତି ନିର୍ଦ୍ଦେଶାଳୟର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର କରି ଏହି ମେଳାର ଆୟୋଜନ କରିଛି । ରାଜ୍ୟର ରାଜଧାନୀ ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳା ଆସନ୍ତା ଡିସେମ୍ବର 16 ପର୍ଯ୍ୟନ୍ତ ଚାଲିବ । ଏଥିରେ ସର୍ବମୋଟ 200ଟି ଷ୍ଟଲରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ