ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଦ୍ଵିତୀୟ ଦିନ ପାଇଁ ବିଧାନସଭା ଅଚଳ ହୋଇଛି । ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭରୁ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ବିଧାୟକମାନେ ନିଜନିଜ ଆସନରେ ଛିଡା ହୋଇ ନାରବାଜି କରିଥିଲେ । ଫଳରେ ବାଚସ୍ପତି ମାତ୍ର ଗୋଟେ ମିନିଟରେ ଅପରାହ୍ନ 3ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ।
ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ଚିନ୍ତାଧାରା ଭିନ୍ନ । ତାଙ୍କ ଇଚ୍ଛାରେ ଗୃହ ଚଳାଇବାକୁ ଚାହୁଁଛନ୍ତି । ଇଚ୍ଛା ହେଲେ ବିରୋଧୀଙ୍କୁ ସମ୍ମାନ ଦେଉଛନ୍ତି । ବାଚସ୍ପତି ମଧ୍ୟ ବିରୋଧୀଙ୍କ ସହ ଆଲୋଚନା ନକରି 3ଟା ଯାଏଁ ମୁଲତବୀ ଘୋଷଣା କଲେ । ଏହା ଏକଛତ୍ରବାଦର ମନୋବୃତି । ମୁଖ୍ୟମନ୍ତ୍ରୀ ଶାସନରେ ରହିବାର ନୈତିକତା ନାହିଁ। ବିରୋଧୀ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ଗୃହକମିଟି କିମ୍ବା ସ୍ବତନ୍ତ୍ର ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି ।
ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ରାଜ୍ୟରେ ଦୈନିକ ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣା ବଢୁଛି । ଗତକାଲି ବି ସୁନ୍ଦରଗଡ଼, ବାଲିଅନ୍ତା, ବୈଶିଙ୍ଗରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି । ଅପରାଧିଙ୍କର ଆଇନ ପ୍ରତି ଭୟ ନାହିଁ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦେବା ସହ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝୀ । ଆଗାମୀ ଦିନରେ ବିଜେପି ଏହି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି ।
ସେପଟେ ବିରୋଧୀ ଦଳ ଗୃହ ଚଳାଇନଦେବାକୁ ନାପସନ୍ଦ କରିଛନ୍ତି ବିଜେଡି ନେତା ଦେବୀ ମିଶ୍ର । ବାଚସ୍ପତି ସରକାରଙ୍କୁ ରିପୋର୍ଟ ଦେବାକୁ ରୁଲିଂ ଦେଇସାରିବା ପରେ ପ୍ରଶ୍ନକାଳରେ ବିଭ୍ରାଟ କରାଯିବା ଉଚିତ ନୁହେଁ । ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଅନେକ ଫୋରମ ରହିଛି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ