ଭୁବନେଶ୍ବର: ତୃତୀୟ ଲହର ନ ଆସୁଣୁ ବଢି ଚାଲିଛି ଶିଶୁ ସଂକ୍ରମଣ । ଇତିମଧ୍ୟରେ ରାଜ୍ୟରେ ସ୍କୁଲଗୁଡିକ ଖୋଲିଛି । ଯାହା ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛି । ବରଗଡ ଓ ଢେଙ୍କାନାଳ ଜିଲ୍ଲାର ଦୁଇଟି ସ୍କୁଲରେ ପ୍ରାୟ ୩୫ ଜଣ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଦୁଇଟି ସ୍କୁଲରେ ସଂକ୍ରମଣ ଖବର ଆସିଛି । କାମାକ୍ଷାନଗର ପଞ୍ଚାୟତର ସରକାରୀ ସ୍କୁଲରେ ଜଣେ ଶିକ୍ଷକ ପଜିଟିଭ ବାହାରିଥିଲେ । ସେହି ସ୍କୁଲରେ ଥିବା ଏକ ଏସଏସଟି ହଷ୍ଟେଲରୁ ଏବେ ୧୪ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ତେବେ ଏହି ସଂକ୍ରମଣ ପରେ ଉକ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି ।
ସେହିପରି ଭାବେ ବରଗଡ ଜିଲ୍ଲାର ଏକ ଘରୋଇ ସ୍କୁଲରେ ମଧ୍ୟ ୨୧ ଜଣ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହି ସ୍କୁଲକୁ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ଏଥିରେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । କୋରୋନା କଟକଣା ଅନୁପାଳନ ପୂର୍ବକ ଶିକ୍ଷାଦାନ ଚାଲିଛି । ଯେଉଁଠାରେ ସମସ୍ୟା ଆସୁଛି ସେହି ସ୍ଥାନରେ ପଦକ୍ଷେପ ନିଆଯାଉଛି ।
ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ । ଆଦିବାସୀ ଅଞ୍ଚଳରେ ଥିବା ସ୍କୁଲଗୁଡିକରେ ୭୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥାନ ରହୁଛି । ଉପକୂଳ ଅଞ୍ଚଳରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ଉପସ୍ଥାନ ଅଛି । ଯେଉଁ ପିଲା ସ୍କୁଲ ଆସିବାକୁ ଚାହିଁବେ ସେମାନେ ସେମାନଙ୍କ ଅଭିଭାବକଙ୍କ ଅନୁମତି ନେଇ ଆସିପାରିବେ । ପିଲାଙ୍କୁ ସୁରକ୍ଷା ଦୃଷ୍ଟିରୁ ଶିକ୍ଷକମାନଙ୍କ ଟୀକାକରଣ ଶେଷ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ୍ । ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବାର କୌଣସି ଆବଶ୍ୟକତା ନଥିଲା । ଆଗକୁ ତୃତୀୟ ଲହର ଆସୁଛି । ତେଣୁ ଆମକୁ ଅକ୍ଟୋବର ମାସ ଶେଷ ଯାଏଁ ଅପେକ୍ଷା କରିବାକୁ ପଡିବ । ସ୍କୁଲ ଖୋଲିବା ଦ୍ବାରା ପିଲାମାନେ କୌଣସିମତେ ସାମାଜିକ ଦୂରତା କି କଟକଣା ମାନିବେ ନାହିଁ । ତେଣୁ ଏଥିପ୍ରତି ସରକାର ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମତ ବାଢିଛନ୍ତି ଶିକ୍ଷାବିତ୍ ବାସୁଦେବ ଛାଟୋଇ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ