ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସହରାଞ୍ଚଳଗୁଡିକରେ ସ୍ବେରେଜ୍ ବ୍ୟବସ୍ଥା ସମ୍ପର୍କରେ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ସମୀକ୍ଷା କରିଛନ୍ତି । ଏଥିରେ 238.96 କୋଟି ଟଙ୍କା ବ୍ୟୟ ଅଟକଳରେ ରାଉରକେଲା ସହରରେ ନିର୍ମାଣ କରାଯାଉଥିବା ସ୍ବେରେଜ୍ ବ୍ୟବସ୍ଥା ଆସନ୍ତା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । 2017 ମସିହାରୁ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ 83 ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି ।
ସମ୍ବଲପୁର ସହରରେ 294 କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ସ୍ବେରେଜ୍ ବ୍ୟବସ୍ଥା ବିଭିନ୍ନ କାରଣ ଯୋଗୁ ଏହାର ବିଶେଷ ଅଗ୍ରଗତି ହୋଇପାରିନାହିଁ । ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କାର୍ଯ୍ୟ କରୁଥିବା ସମ୍ପୃକ୍ତ ସଂସ୍ଥା ସହିତ ଆଲୋଚନା କରି କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ସ୍ବେରେଜ୍ ବୋର୍ଡ ପକ୍ଷରୁ କଟକ, ସମ୍ବଲପୁର, ପୁରୀ, ରାଉରକେଲାରେ 757 ଲକ୍ଷ ଟଙ୍କା ବ୍ୟୟରେ 8ଟି ସେପ୍ଟେଜ୍ ନିର୍ମାଣ କରାଯାଇଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ 87.96 କୋଟି ଟଙ୍କା ବ୍ୟୟ ଅଟକଳରେ 30ଟି ଯାକ ଜିଲ୍ଲାରେ ସେପ୍ଟେଜ୍ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।
ତୃତୀୟ ପର୍ଯ୍ୟାୟରେ 96 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସେପ୍ଟେଜ୍ ପାଇଁ ଟେଣ୍ଡର ଆହ୍ବାନ କରାଯାଇ ବର୍ତ୍ତମାନ ତା’ର ମୂଲ୍ୟାୟନ କରାଯାଉଛି । ଏଥିସହିତ ସ୍ବେରେଜ୍ ବୋର୍ଡର କାର୍ଯ୍ୟକାଳ ଅବଧି ସରିଯାଇଥିବାବେଳେ ତାକୁ ପୁନର୍ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ବୋର୍ଡର ସଦସ୍ୟ ସଚିବ ଅମୂଲ୍ୟ ମଲ୍ଲିକ, ଭୁବନେଶ୍ବର ପ୍ରକଳ୍ପ ନିର୍ଦ୍ଦେଶକ ବିନୋଦ ସାହୁ, କଟକର ପ୍ରକଳ୍ପ ନିର୍ଦ୍ଦେଶକ ରତୀନ୍ଦ୍ରନାଥ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ