ଭୁବନେଶ୍ବର: ଧାନକିଣା ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଚଳିତ ଧାନ ସଂଗ୍ରହ ବର୍ଷର ଖରିଫ ଧାନ ସଂଗ୍ରହ ରାଜ୍ୟର କଳାହାଣ୍ଡି ଓ ବରଗଡ ପରି ସଅଳ ଧାନ ଅମଳ ହେଉଥିବା ଜିଲ୍ଲାରୁ 2020 ନଭେମ୍ବର ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇଥିଲା । ଅଦ୍ୟାବଧି 30ଟି ଜିଲ୍ଲା ଖରିଫ ଧାନ ସଂଗ୍ରହରେ ସାମିଲ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ଧାର୍ଯ୍ୟ କ୍ରୟ ଦିବସର 7 ଦିନ ପୂର୍ବରୁ ପଞ୍ଜିକୃତ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ପର୍କୀୟ ତଥ୍ୟ ସେମାନଙ୍କ ମୋବାଇଲକୁ SMS ମାଧ୍ୟମରେ ଜଣାଇ ଦିଆଯାଉଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଠାରୁ ଅଗ୍ରାଧିକାର ଭିତ୍ତିରେ ଧାନ କ୍ରୟ କରାଯାଉଛି । ଗତ ଖରିଫ ତୁଳନାରେ ଚଳିତ ଖରିଫରେ ଅଧିକ 25 ପ୍ରତିଶତ ନାମମାତ୍ର ଚାଷୀ ଓ 20 ପ୍ରତିଶତ ଅଧିକ କ୍ଷୁଦ୍ର ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ଚାଷୀଙ୍କ ମୋବାଇଲକୁ ପ୍ରେରିତ SMSରେ ଥିବା କ୍ରୟ ତାରିଖରେ ଚାଷୀ କୌଣସି କାରଣରୁ ମଣ୍ଡିକୁ ଧାନ ନି ଆଣିପାରିଲେ ପରବର୍ତ୍ତୀ ଏକ ମାସ ମଧ୍ୟରେ ଧାନ ବିକ୍ରି କରିବା ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରାଯାଇଛି । ସମସ୍ତ ବୈଧ ଟୋକନ ଅନୁଯାୟୀ ମଣ୍ଡିକୁ ଆସୁଥିବା ଧାନ କ୍ରୟ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।
ସେହିପରି ଭାରତ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ସାଧାରଣ ଧାନ ପାଇଁ କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (MSP) 1868 ଟଙ୍କା ହାରରେ ଚାଷୀଙ୍କୁ ପ୍ରଦାନ କରାଯାଉଛି । ଫେବୃଆରୀ 19 ତାରିଖ ସୁଦ୍ଧା ମୋଟ 55.03 ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଛି । ଗତ ଖରିଫରେ ଏହି ଦିନ ସୁଦ୍ଧା 45.61 ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି 2019-20 ଖରିଫରେ ସର୍ବମୋଟ 53.31 ଲକ୍ଷ ମେଟ୍ରିକ୍ ଟନ ଧାନ କ୍ରୟ କରାଯାଇଥିଲା । ଅତଏବ ଚଳିତ ଖରିଫର ଧାନ ସଂଗ୍ରହ ବିଗତ ଖରିଫର ଚୂଡାନ୍ତ ଧାନ କ୍ରୟର ପରିମାଣକୁ ମଧ୍ୟ ଅତିକ୍ରମ କରିସାରିଛି ବୋଲି ମନ୍ତ୍ରୀ ତଥ୍ୟ ଦେଇଛନ୍ତି ।
ଚଳିତ ଖରିଫ ଧାନ ସଂଗ୍ରହରେ ଚାଷୀ ଅଂଶଗ୍ରହଣ ମଧ୍ୟ ଉତ୍ସାହଜନକ ରହିଛି । ଫେବୃଆରୀ 19 ତାରିଖ ସୁଦ୍ଧା 9.93 ଲକ୍ଷ ଚାଷୀ ସରକାରଙ୍କୁ ଖରିଫ ଧାନ ବିକ୍ରୟ କରିଛନ୍ତି । ବିଗତ ବର୍ଷ ଏହି ସମୟ ସୁଦ୍ଧା 8.23 ଲକ୍ଷ ଚାଷୀ ସରକାରଙ୍କୁ ଖରିଫ ଧାନ ବିକ୍ରି କରିଥିଲେ । ଏହା ସହ 2020 ମାର୍ଚ୍ଚ 31 ତାରିଖ ସୁଦ୍ଧା ସଂଗ୍ରହ କାର୍ଯ୍ୟ ପରିସମାପ୍ତି ବେଳକୁ ଧାନ ବିକ୍ରି କରିଥିବା ଚାଷୀଙ୍କ ସଂଖ୍ୟା 9.56 ଲକ୍ଷ ଥିଲା ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
ଖରିଫ ଋତୁ ପାଇଁ ଜଳ ସେଚିତ ଜମିରୁ ଏକର ପ୍ରତି 19 କ୍ବିଣ୍ଟାଲ ଏବଂ ଅଣଜଳସେଚିତ ଜମିରୁ ଏକର ପ୍ରତି 13 କ୍ବିଣ୍ଟାଲ ହିସାବରେ ଖରିଫ ଧାନ କ୍ରୟ କରାଯାଉଛି । ସଂଗୃହୀତ ଧାନର ମୂଲ୍ୟ 10,281 କୋଟି ଯାହା ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଅନଲାଇନ ପ୍ରକ୍ରିୟାରେ ଦିଆଯାଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।
ସଅଳ ଧାନ ଅମଳ ହୋଇଥିବା ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ ଧାନ କ୍ରୟ କାର୍ଯ୍ୟ ପ୍ରାୟ ସରି ଆସିଲାଣି । ଉପକୂଳ ଓ ଉତ୍ତର ଓଡିଶା ଜିଲ୍ଲାଗୁଡିକରେ ବର୍ତ୍ତମାନ ଧାନ କ୍ରୟ ଧାରା ଶିଖର ଭାଗ ଛୁଇଁଛି । ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ 31ରେ ପରିସମାପ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ