ଭୁବନେଶ୍ବର: ପାଖେଇ ଆସୁଛି ରଥଯାତ୍ରା । ରଥଯାତ୍ରାର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସୂଚାର ରୂପେ ସଂପାଦନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ମନ୍ତ୍ରୀ ରଥଯାତ୍ରା ଉପଲକ୍ଷେ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ରଥଯାତ୍ରାକୁ ଶୃଙ୍ଖଳିତ ଓ ସରସ ସୁନ୍ଦର କରିବାରେ ଅଧିକାରୀ ତଥା କର୍ମଚାରୀମାନେ ପ୍ରତିବଦ୍ଧ ହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ରଥଯାତ୍ରାର ବିଶ୍ବ ପ୍ରସିଦ୍ଧିକୁ ଦୃଷ୍ଟିରେ ରଖି ପ୍ରଚାର, ବିଜ୍ଞାପନ ଓ ପ୍ରଦର୍ଶନୀରେ ବିଶେଷ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଛନ୍ତି ।
![ଶୃଙ୍ଖଳିତ ରଥଯାତ୍ରା ପାଇଁ I&PR ମନ୍ତ୍ରୀଙ୍କ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-bbsr-10-ratha-yatra-work-7209787_09062022235738_0906f_1654799258_1047.jpg)
![ଶୃଙ୍ଖଳିତ ରଥଯାତ୍ରା ପାଇଁ I&PR ମନ୍ତ୍ରୀଙ୍କ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-bbsr-10-ratha-yatra-work-7209787_09062022235738_0906f_1654799258_146.jpg)
ସେହିପରି ସାମାଜିକ ଗଣମାଧ୍ୟମରେ ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରସାର ପାଇଁ ପରାମର୍ଶ ଦେଇଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ । ଏହା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ମହିମା ସମ୍ବଳିତ ବିିଭିନ୍ନ କିମ୍ବଦନ୍ତୀ, ଲୋକକଥା, ତଥ୍ୟର ପ୍ରଚାର ଉପରେ ବିଭାଗ ଗୁରୁତ୍ବ ଦେବ ବୋଲି ସେ ଉଲ୍ଲେଖ କରିଛନ୍ତି । ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ବିଭାଗ ପକ୍ଷରୁ ହେବାକୁ ଥିବା କାର୍ଯ୍ୟଗୁଡ଼ିକ ଉପରେ ସୂଚନା ଦେଇଛନ୍ତି । ଦୂରଦର୍ଶନ ଜରିଆରେ ରଥଯାତ୍ରାର ସିଧା ପ୍ରସାରଣ, ଅନ୍ୟାନ୍ୟ ବୈଦ୍ୟୁତିକ ଗଣମାଧ୍ୟମକୁ ଲାଇଭ୍ କମନ୍ ଫିଡ୍ ଯୋଗାଣ, ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ସାମ୍ବାଦିକମାନଙ୍କ ଗସ୍ତ, ଅତିଥିମାନଙ୍କ ପରିଚର୍ଯ୍ୟା, ବିଭିନ୍ନ ପ୍ରକାଶନର ରଥଯାତ୍ରା ବିଶେଷାଙ୍କ ବିକ୍ରୟ, ଫଟୋଚିତ୍ର ପ୍ରଦର୍ଶନୀ, ବିଜ୍ଞାପନ ପ୍ରସାରଣ ସହିତ ହୋଡ଼ିଙ୍ଗ ବ୍ୟବସ୍ଥା ବାବଦରେ ନିର୍ଦ୍ଦେଶକ ଅବଗତ କରାଇଛନ୍ତି ।
![ଶୃଙ୍ଖଳିତ ରଥଯାତ୍ରା ପାଇଁ I&PR ମନ୍ତ୍ରୀଙ୍କ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-bbsr-10-ratha-yatra-work-7209787_09062022235738_0906f_1654799258_1104.jpg)
ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସଂପାଦକ ଡ. ଲେନିନ୍ ମହାନ୍ତି ରଥଯାତ୍ରା ଦିନ ଉଭୟ ପତ୍ରିକା ବିଶେଷାଙ୍କ ସଂଖ୍ୟା ଲୋକାର୍ପିତ ହେବ ବୋଲି ଜଣାଇଛନ୍ତି । ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, କ୍ଷେତ୍ରୀୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ ।