ଭୁବନେଶ୍ବର: ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟ ଧୀରେ ଧୀରେ ଦଲାଲ ମୁକ୍ତ ହେଉଛି । ଆଉ ଦଲାଲଙ୍କ ପଛରେ ନ ଗୋଡାଇ ଲୋକେ ସିଧାସଳଖ ଅନଲାଇନ ବ୍ୟବସ୍ଥାକୁ ଆପଣାଇ ନେଲେଣି । ଅତି ସହଜ ଓ ସୁବିଧାରେ ନିଜ ଲାଇସେନ୍ସ ଭଳି ଅନ୍ୟ ସୁବିଧା ପାଇପାରୁଛନ୍ତି ।
ରାଜ୍ୟ ପରିବାହନ ବିଭାଗ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଏହା କହୁଛି । ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣିଂ ଲାଇସେନ୍ସ ପାଇଁ ସାରଥୀ ଆପରେ ହୋଇଥିବା ଅନଲାଇନ କାରବାର ଏହା ପ୍ରମାଣିତ କରୁଛି । ଗତ ଅଗଷ୍ଟରେ ମାତ୍ର 7.7% କାରବାର ସାରଥୀ ସିଷ୍ଟମ ମାଧ୍ୟମରେ ହୋଇଥିବା ବେଳେ ଡିସେମ୍ବରରେ ଏହା 54.5%କୁ ବୃଦ୍ଧି ହୋଇଛି । ସେପ୍ଟେମ୍ବରରେ 28.28, ଅକ୍ଟୋବରରେ 45 .81, ନଭେମ୍ବରରେ 51.21, ଆଉ ଡିସେମ୍ବରରେ 54. 5% କୁ ବୃଦ୍ଧି ପାଇଛି ।
ସେହିପରି ଗତ 4 ମାସ ମଧ୍ୟରେ ଲର୍ଣିଂ ଲାଇସେନ୍ସ ଆବେଦନ ସଂଖ୍ୟା ପ୍ରାୟ 8 ଲକ୍ଷ ରହିଛି । ଯାହାକି ଏକ ରେକର୍ଡ ।
2018 ମସିହାରେ ରାଜ୍ୟରେ 3.48 ଲକ୍ଷ ଲର୍ଣିଂ ଲାଇସେନ୍ସ ଆବେଦନ ହୋଇଥିଲା । ଭୁବନେଶ୍ବର ଆର୍ଟିଓ-1ରେ ସର୍ବାଧିକ 54 ହଜାର 503 ଲର୍ଣିଂ ଲାଇସେନ୍ସ ପ୍ରଦାନ କରାଯାଇଛି । ଏହା ପଛକୁ ରହିଛି ଗଞ୍ଜାମ । ଏବେ ବି ପ୍ରାୟ 4.4 ଲକ୍ଷ ଆବେଦନକାରୀ ଲର୍ଣିଂ ପାଇବାକୁ ସ୍କଟ ବୁକ କରିଛନ୍ତି । ଏହାସହ ଯେଉଁମାନେ ଲର୍ଣିଂ ପାଇଛନ୍ତି ଏକମାସ ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଅପିଲ କରିଛି ପରିବହନ ବିଭାଗ । ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁସାରେ ଚଳିତ ମାସରୁ ଆବେଦନ କରିବା ମାତ୍ରେ ତୁରନ୍ତ ମିଳିବ ଲର୍ଣ୍ଣି ଲାଇସେନ୍ସ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ