ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି । ଏହାପୁର୍ବରୁ ରାଜଧାନୀରେ ଦେଖା ଦେଲାଣି ନିର୍ବାଚନି ଉଷ୍ମତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ରଣନୀତି ଆରମ୍ଭ କଲେଣି । ଏହାରି ଭିତରେ ବିଏମସିର ନିର୍ବାଚନ ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ହେବ । କାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣଭାବେ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଭୁବନେଶ୍ୱର ଡିସିପି । ଏନେଇ ଡିସିପି ମୁଖ୍ୟାଳୟରେ ସୋମବାର ବସିଥିଲା ବୈଠକ ।
ଏହି ବୈଠକରେ ସମସ୍ତ ପୌର ଓ୍ବାର୍ଡ ଥିବା ଆଇଆଇସି ଯୋଗଦେଇଛନ୍ତି । ବୈଠକରେ ନିଜ ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି ନେଇ ତଥ୍ୟ ଦେଇଛନ୍ତି ଆଇଆଇସି । କାରଣ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କେଉଁ ଥାନା ଅଧିନରେ କେତୋଟି ଓ୍ବାର୍ଡ ରହିଛି, କେତେ ଭୋଟର ଓ କେତେ ଆଶାୟୀ ପ୍ରାର୍ଥୀ ଏସମସ୍ତ ତଥ୍ୟ ଯୋଗାଡ କରିଛି ପୋଲିସ । ଏହାସହ ଥାନା ଅଧିନରେ ଥିବା ପେଶାଗତ ଅପରାଧିଙ୍କ ତାଲିକା ସହ ଗତ ପୌର ନିର୍ବାଚନ ସମୟରେ କେଉଁ ସବୁ ସ୍ଥାନରେ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିଲା ତାହାର ଏକ ଚିଠା ପ୍ରସ୍ତୁତ କରିଛି । ସେସବୁ ଅଞ୍ଚଳକୁ ସମ୍ବେଦନଶୀଳ ଭାବେ ନେଇ ଏଥର ନିର୍ବାଚନ ପରିଚାଳନା ପାଇ ପ୍ରସ୍ତୁତ ହୋଇଛନ୍ତି ଭୁବନେଶ୍ୱର କମିଶନରେଟ୍ ପୋଲିସ ଟିମ ।
ଏନେଇ ନିର୍ବାଚନ ପୁର୍ବରୁ ମଦ ଓ ନିଶା କାରବାର ଉପରେ ଚଢାଉ ଜୋରଦାର ସହ ପେଶାଗତ ଅପରାଧିଙ୍କ ବିରୋଧରେ ୧୧୦ ଓ ଗଣ୍ଡଗୋଳିଆ କରୁଥିବା କୁଜି ନେତାଙ୍କୁ ମଧ୍ୟ ୧୦୭ ଦଫାରେ ଗିରଫ ପାଇଁ ଯୋଜନା ହୋଇଛି । ଯେପରି କୌଣସି ଥାନା ଅଞ୍ଚଳରେ ଗଣ୍ଡଗୋଳ ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଶୃଙ୍ଖଳା ବଜାୟ ରଖିବା ପାଇଁ ରାଜଧାନୀରେ ପିସିଆର ବୁଲିବ । ଏହି ପିସିଆର ଟିମ କିଭଳି କାର୍ଯ୍ୟ କରିବ ସେନେଇ ଆଲୋଚନା ସହ ରଣନୀତି ପ୍ରସ୍ତୁତ ହୋଇଛି ।
ଆଇଆଇସି ମାନଙ୍କ ତଥ୍ୟ ଆଧାରରେ କିଭଳି ଏହାକୁ ପରିଚାଳନା କରାଯିବ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଏହାସହ ସହର ଉପକଣ୍ଠରେ ପୌର ନିର୍ବାଚନ ଜଟଣି ଥାନା ପାଇଁ ମଧ୍ୟ ବିଭିନ୍ନ ଦିଗକୁ ନେଇ ତର୍ଜମା କରାଯାଇଛି । ତେବେ ବାଲିପାଟଣା ,ବାଲିଅନ୍ତା ଓ ଚନ୍ଦକା ଇନ୍ଫୋଭାଲି ଓ ଧଉଳି ଭଳି ଆଦି ଥାନା ମାନଙ୍କରେ ପୌର ନିର୍ବାଚନର ଚିନ୍ତା ନାହିଁ । ସେପଟେ ଭରତପୁର ଓ ନୟାପଲ୍ଲି ଥାନାରେ ଜଣେ ଇନସ୍ପେକ୍ଟର ଥିବା ବେଳେ ସ୍ବଳ୍ପ ଅଫିସରଙ୍କୁ ନେଇ କେମିତି ମୁକାବିଲା କରିବେ ସେନେଇ ଡିସିପିଙ୍କର ବଢ଼ିଛି ଟେନସନ । ଯାହାକୁ ନେଇ ସମୀକ୍ଷା ପରେ ପରବର୍ତ୍ତୀ ରଣ କୌଶଳ ପ୍ରସ୍ତୁତ କରାଯିବ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ