ଭୁବନେଶ୍ବର: ଦୈନିକ ୬ ଲକ୍ଷ ଟନର କୋଇଲା ପଠାଇବାରେ ରେକର୍ଡ କଲା ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (MCL) । ଏହି ପ୍ରଦର୍ଶନ ପାଇଁ ଏମସିଏଲକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରେଳ, କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନ୍ଭେ ଶୁକ୍ରବାର ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଏବଂ କାର୍ଯ୍ୟକାରିଣୀ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି ।
ଗୁରୁବାର ଦିନ ରେକର୍ଡ ପରିମାଣର ୬.୦୪ଲକ୍ଷ ଟନ୍ କୋଇଲା ପଠାଇ ନୂଆ ଇତିହାସ ରଚି ଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଓଡିଶାରେ ଦୈନିକ ହାରାହାରି ୫.୨୫ ଲକ୍ଷ ଟନ୍ କୋଇଲା ଯୋଗାଉଛି MCL । ଏହି ରେକର୍ଡ କାର୍ଯ୍ୟ ପାଇଁ କୋଇଲା ଖଣି, ଚୁକ୍ତିଭିତ୍ତିକ ଶ୍ରମିକ, ରେଳବାଇ, ଶ୍ରମିକ ସଂଗଠନର ନେତା ତଥା ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ହିତାଧିକାରୀଙ୍କ ମିଳିତ ଉଦ୍ୟମକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଉଭୟ ସହାୟକ କମ୍ପାନୀ ଏକ ମିଲିଅନ୍ ଟନ୍ କୋଇଲା ପଠାଇବା ଆକଳନକୁ ଅତିକ୍ରମ କରିଥିବାରୁ MCL ଅତିରିକ୍ତ ଦାୟିତ୍ବ ଗ୍ରହଣ କରୁଥିବା ନର୍ଦନ କୋଲ ଫିଲ୍ଡ ଲିମିଟେଡ୍ (NCL)ର ସିଏମ୍ଡିଙ୍କୁ ମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି । ଏଭଳି ପ୍ରଦର୍ଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, କାରଣ ଏହା ଏମ୍ସିଏଲ୍ ଏବଂ ଏନ୍ସିଏଲ୍ ଲିମିଟେଡର ହୋଲଡିଂ କମ୍ପାନୀ ଅର୍ଥାତ୍ କୋଲ ଇଣ୍ଡିଆର ମୋଟ କୋଇଲା ଉଠାଣର ୫୦% ଅଟେ । ଏକ ସମୟରେ ଯେତେବେଳେ ଦେଶର ଶକ୍ତି ଚାହିଦା ବୃଦ୍ଧି ପାଉଥିଲା । ସେତେବେଳେ ଶୁଖିଲା ଇନ୍ଧନର ଚାହିଦା ବଢିଥିଲା, ଫ୍ଲାଗସିପ୍ ଏମସିଏଲ ଏବଂ ମଧ୍ୟପ୍ରଦେଶରେ ଥିବା ଏହାର ସହଯୋଗୀ ଏନସିଏଲ୍ ସମୟର ଅବଶ୍ୟକତା ଅନୁଯାୟୀ କୋଇଲା ଯୋଗାଣ କରିଥିଲେ । ମନ୍ତ୍ରଣାଳୟ ଏହାକୁ ସ୍ବୀକାର କରିଛି । ଏମ୍ସିଏଲ୍ ଏବଂ ଏନ୍ସିଏଲ୍ ର କାର୍ଯ୍ୟକାରିଣୀ ନିର୍ଦ୍ଦେଶକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛି । ଚଳିତ ଆର୍ଥିକ ବର୍ଷରେ, ଏମ୍ସିଏଲ ଗ୍ରାହକଙ୍କୁ ୯୫.୭ ନିୟୁତ ଟନରୁ ଅଧିକ କୋଇଲା ଯୋଗାଇଛି । ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୨୧% ଅଧିକ ପଞ୍ଜିକୃତ ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ