ଭୁବନେଶ୍ବର: ଆରମ୍ଭ ହୋଇଛି ଚଳିତବର୍ଷର ମାଟ୍ରିକ ଖାତା ଦେଖା । ଏନେଇ ରାଜ୍ୟର ୬୭ଟି ମୂଲ୍ୟାୟନ କେନ୍ଦ୍ରରେ ବ୍ୟବସ୍ଥା ହୋଇଛି । ୫ ଲକ୍ଷ ୬୦ ହଜାରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଖାତା ଦେଖିବା ପାଇଁ ୧୬ ହଜାର ଶିକ୍ଷକ ନିୟୋଜିତ ହୋଇଛନ୍ତି । ତିନୋଟି ସିଫ୍ଟରେ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବେ । ଏଥିପାଇଁ ସ୍ବତନ୍ତ୍ର ଭାବରେ ଗାଇଡଲାଇନ ମଧ୍ୟ ଜାରି ରହିଛି ।
ତେବେ ଏଥର ଖାତା ଦେଖିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାସ୍କ ପିନ୍ଧି ଖାତା ଦେଖିବେ । କୋରୋନା ପାଇଁ ଏଭଳି ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି ସରକାର । ଏହା ସହିତ ହାତ ସଫା ପାଇଁ ସାନିଟାଇଜର ବ୍ୟବହାର କରିବେ ଓ ପରସ୍ପର ଠାରୁ ଦୂରତା ରକ୍ଷା କରି ଖାତା ଦେଖିବେ ।
ସୂଚନା ଅନୁସାରେ, ୮ଟା ୩୦ ରୁ ୨ଟା ୩୦ ପ୍ରଥମ ସିଫ୍ଟ , ୯ଟା ୩୦ ରୁ ୩ଟା ୩୦ ଦ୍ବିତୀୟ ସିଫ୍ଟ, ୧୦ଟା ୩୦ରୁ ୪ଟା ୩୦ ତୃତୀୟ ସିଫ୍ଟରେ ଖାତା ଦେଖାଯିବ । ଜଣେ ଶିକ୍ଷକ ୨ଟି ବିଷୟର ୩୦ରୁ ରୁ ୩୫ ଖାତା ଦେଖିବାକୁ ଟାର୍ଗେଟ ରହିଛି । ତେବେ ଏନେଇ ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଖରାଦିନ ଓ କୋରେନାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ