ଭୁବନେଶ୍ବର: ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ କମିଶନରେଟ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥିରେ ଗିରଫ 29 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 3 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବଳରେ ଦଫା ଲଗାଇଛି । ଦଙ୍ଗା ସୃଷ୍ଟି କରିବା, ସର୍ବସାଧାରଣରେ ଆତଙ୍କ ଖେଳାଇବା ଓ ସଂଘବଧ ଭାବରେ ଆକ୍ରମଣ ଭଳି ସଙ୍ଗିନ ଅପରାଧରେ ଜଡିତ ଥିବା ଏହି 3 ଜଣ ଅଭିଯୁକ୍ତଙ୍କ ନାମ ନେଇଛି କମିଶନରରେଟ ପୋଲିସ ।
ପୂର୍ବରୁ 5 ଜଣଙ୍କ ବିରୋଧରେ ଏହି ଦଫା ବଳରେ କୋର୍ଟ ଚାଲାଣ କରିସାରିଛି ପୋଲିସ । ଏହି 3 ଜଣଙ୍କୁ ମିଶାଇଲେ ଏନଏସଏ ଆକ୍ଟରେ ଅଭିଯୁକ୍ତଙ୍କ ସଂଖ୍ୟା 8ରେ ପହଁଚିଛି । ଅନ୍ୟ ଅଭିଯୁକ୍ତ ମାନଙ୍କର ଅପରାଧିକ ବିବରଣୀ ଯାଞ୍ଚ କରାଯାଉଛି । ସେମାନଙ୍କ ମଧ୍ୟରୁ ଯଦି କେହି ଏଭଳି ସଙ୍ଗିନ ଦଫା ଲାଗିବାର କମିଶନରେଟ ପୋଲିସ ହୃଦବୋଧ କରେ ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଏହି ଦଫା ଲଗାଯିବ । ଆଜି ଏହି 3 ଜଣ ଚନ୍ଦନ ଦାସ, ବିଶ୍ବନାଥ ପ୍ରଧାନ, ପ୍ରତ୍ୟୁଷ କନାହାର ବିରୋଧରେ ଏନଏସଏ ଦଫା ଲଗାଇଛି କମିଶନରରେଟ ପୋଲିସ ।
ସୂଚନା ମୁତାବକ କିଛି ଦିନ ତଳେ ଭୁବନେଶ୍ବର ମାର୍କେଟ ବିଲ୍ଡିଂ ନିକଟରେ ଅତର୍କିତ ଭାବରେ ଦଳବଦ୍ଧ ହୋଇ 50ରୁ ଉର୍ଦ୍ଧ୍ବ ଯୁବକ ଆକ୍ରମଣ କରିଥିଲେ । ଯାହା ଫଳରେ ଅନେକ ବ୍ୟବସାୟୀଙ୍କ କ୍ଷୟକ୍ଷତି ଘଟିଥିଲା । ଅନେକ ସାଧାରଣ ଲୋକ ମଧ୍ୟ ଆହତ ହୋଇଥିଲେ । ଫଳରେ ପୋଲିସକୁ ଏକ ପ୍ରକାରର ଚ୍ୟାଲେଞ୍ଜ ରାହିଥିଲା । ଯାହା ପରବର୍ତ୍ତୀ ସମୟରେ ଅନେକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ