ଭୁବନେଶ୍ବର: ୧୦୪ ତମ ବିଜୁ ଜୟନ୍ତୀ ପାଳିବ ବିଜୁ ଜନତା ଦଳ । ମାର୍ଚ୍ଚ ୫ରେ ରାଜ୍ୟବ୍ୟାପୀ ୧୦୪ ତମ ବିଜୁ ଜୟନ୍ତୀ ପାଳିବ ବିଜୁ ଜନତା ଦଳ । ଏନେଇ ମାର୍ଚ୍ଚ ୫ ତାରିଖ ଦିନ କଟକ ବାଲିଯାତ୍ରା ପଡ଼ିଆରେ ଏକ ବିଶାଳ ଜନ ସମାବେଶ କରାଯିବ ।
ଏହି ଅବସରରେ ୧୫ ଦିନ ଧରି ମାର୍ଚ୍ଚ 5ରୁ ୨୦ ତାରିଖ ଯାଏ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ବିଜୁ ଜନତା ଦଳର ସମସ୍ତ ସଂଗଠନ, ମହିଳା, ଯୁବ, ଛାତ୍ର, ଶ୍ରମିକ, କୃଷକ ସେଲ ସମୂହ ପକ୍ଷରୁ ରାଜ୍ୟର ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀ ଓ ୩୧୪ ବ୍ଲକ ଆୟୋଜିତ ହେବ ।
ବିଭିନ୍ନ ସ୍ଥାନରେ ମହିଳା ସଭା, ହସ୍ପିଟାଲରେ ରୋଗୀଙ୍କୁ ଫଳ ବିତରଣ, ମହାପୁରୁଷଙ୍କୁ ପୂଜ୍ୟପୂଜା ଓ ସେମାନଙ୍କ ଜୀବନୀ ଉପରେ ଆଲୋଚନା ପାଠ କରାଯିବ । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୩୩ ଟି ସାଙ୍ଗଠନିକ ଜିଲ୍ଲାରେ ରକ୍ତଦାନ ଶିବିର କରାଯାଇ ପ୍ରାୟ ୨୦,୦୦୦ ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ।
ସର୍ବୋପରି ଓଡିଶା ପ୍ରତି ବିଜୁ ପଟ୍ଟନାୟକଙ୍କ ଅବଦାନ ଜନସାଧାରଣଙ୍କୁ ଅବଗତ କରାଯିବ । ସରକାରଙ୍କ ୨୦ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବେ କର୍ମୀ । ଏପରି ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ଦିଆଯିବ ।
ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ ଓ ଉଷା ଦେବୀ ସୂଚନା ଦେଇଛନ୍ତି । ୮ ତାରିଖ ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ସମ୍ମିଳନୀ ଆୟୋଜନ କରାଯିବ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ମହିଳାଙ୍କୁ ସମ୍ମାନିତ କରାଯିବ ବୋଲି ବିଜେଡି ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି ।
ଭୁବନେଶ୍ବରୁ ସଞ୍ଜୀବ ରାୟ, ଇଟିଭି ଭାରତ