ଭୁବନେଶ୍ବର: ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳା ରାଜଧାନୀରେ ଆୟୋଜିତ ହୋଇଛି । ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱର ଡକ୍ଟର ରେଡ୍ଡିଜ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଛି । ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ ଏନସିଏସସିଡିଏର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ରିଲାଏନ୍ସ ସିକ୍ୟୁରିଟିଜ୍ ଲିମିଟେଡ, ଲେମନ୍ ଟ୍ରି ହୋଟେଲ୍ସ, ବିପିଓ କନଭର୍ଜେନ୍ସ, ପାରାମିଟର ସଫ୍ଟୱେର ପ୍ରାଇଭେଟ୍ ଲିମିଟେଡ୍, ତତ୍ତ୍ବ ଟେକ୍ନୋଲୋଜି ଲିମିଟେଡ୍ ଆଦି ୧୩ଟି କମ୍ପାନୀ ଅଂଶଗ୍ରହଣ କରିଛନ୍ତି ।
ନିଯୁକ୍ତି ମେଳାରେ ବାକ୍ଶକ୍ତି ଓ ଶ୍ରବଣଶକ୍ତି ବାଧିତ, ଚାଲିବାକୁ ଅକ୍ଷମ ଦିବ୍ୟାଙ୍ଗମାନେ ସାକ୍ଷାତକାର ଦେଇଛନ୍ତି । ଶିବିରରେ ୧୮ରୁ ୩୫ ବର୍ଷ ବୟସ୍କ ମୋଟ୍ ୧୬୮ ଜଣ ଦିବ୍ୟାଙ୍ଗ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ୧୪୫ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ଚୟନ ହୋଇଛନ୍ତି । ଏହି ନିଯୁକ୍ତି ମେଳାରେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ସୁଲୋଚନା ଦାସ ଅତିଥି ଭାବେ ଯୋଗ ଦେଇଥିଲେ ।ଏପରି ନିଯୁକ୍ତି ମେଳା ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏଭଳି ଶିବିର ଆୟୋଜନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।
ଭୁବନେଶ୍ୱର NCSCDAର ଅତିରିକ୍ତ ନିର୍ଦ୍ଦେଶକ (ନିଯୁକ୍ତି) ସୁଜିତ କୁମାର ସାହୁ, ମନସ୍ତତ୍ତ୍ବବିତ୍ ସୋନାଲିକା ସୁମନଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଛନ୍ତି । ଭୁବନେଶ୍ୱରସ୍ଥିତ ଡକ୍ଟର ରେଡିଜ୍ ଫାଉଣ୍ଡେସନର ଅମିତ କୁମାର ଦାଶ, ଖୋର୍ଦ୍ଧା ଜିଲ୍ଲା ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାରଙ୍କ ସମେତ ସ୍ଵେଚ୍ଛାସେବୀମାନେ ଆବଶ୍ୟକ ସହାୟତା ଯୋଗାଇ ଦେଇଛନ୍ତି । ଅତିରିକ୍ତ ନିର୍ଦ୍ଦେଶକ ଶିବିରରେ ଯୋଗ ଦେଇଥିବା ସମସ୍ତ ନିଯୁକ୍ତିଦାତାମାନଙ୍କୁ ପ୍ରମାଣପତ୍ର ବାଣ୍ଟିଥିଲେ ଏବଂ ଶିବିରରେ ଅଂଶଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ