ଭୁବନେଶ୍ବର: କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ବିଜେପିର କେନ୍ଦ୍ରୀୟ ଟିମ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ କରି ମମିତାଙ୍କ ପରିବାରକୁ ଭେଟିବା ପରେ କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ଏହି ଘଟଣା ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଛି । ଅଭିଯୁକ୍ତ ସହିତ ମନ୍ତ୍ରୀଙ୍କ ରହିଥିଲା ଘନିଷ୍ଠ ସମ୍ପର୍କ । ସେପଟେ ଫରେନ୍ସିକ ରିପୋର୍ଟ ଆସି ନଥିବା ସତ୍ତ୍ବେ ପୀଡ଼ିତାର ଅସ୍ଥି ଏବଂ ଅନ୍ୟ ସାମଗ୍ରୀ କେମିତି ପୋଲିସ ପରିବାରକୁ ହସ୍ତାନ୍ତର କଲା ବୋଲି ପ୍ରଶ୍ନ କରିଛି ଟିମ ।
ଏହା ଏକ ନିର୍ମମ ହତ୍ୟା । ମମିତା ସନସାଇନ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ଦିବ୍ୟ ଶଙ୍କର ମିଶ୍ରଙ୍କ ଦ୍ବାରା ଷଡ଼ଯନ୍ତ୍ର ହୋଇଛି । ଗୋବିନ୍ଦ ସାହୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ । ଦିବ୍ୟଶଙ୍କର ନିୟମିତ ଭାବେ ସ୍କୁଲକୁ ଯାଉଥିଲେ । ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ । ଗୋବିନ୍ଦ ସାହୁ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ଗୋବିନ୍ଦ 4 ଦିନ ପୋଲିସ ହେପାଜତରେ ରହିବା ପରେ ଫେରାର ହୋଇଗଲେ । ଗୋବିନ୍ଦ ସ୍ବୀକାର କରିଛନ୍ତି ଯେ ମମିତା ତାଙ୍କର ଗୁମର ଖୋଲିବା ପାଇଁ ଧମକ ଦେଇଥିଲେ । ଏଭଳି ପରିସ୍ଥିତିରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେପି ।
ରାଜ୍ୟ ସାରା ଲଗାତାର ଆନ୍ଦୋଳନ କରିଆସୁଛି । ନୈତିକତା ଦୃଷ୍ଟିରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଉଚିତ । ମା ମାଣିକେଶ୍ବରୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ମନ୍ତ୍ରୀ ପଦ ଛାଡ଼ି ଦେବା ଉଚିତ। ପୀଡ଼ିତା ମେହେର ବର୍ଗରୁ ଆସିଛନ୍ତି । ବୁଣାକାର ପରିବାରର ଝିଅ ମମିତା ମେହେର। ପୀଡ଼ିତାର ପରିବାର ଭୟ ଭିତରେ ଦିନ କାଟୁଛନ୍ତି । ସେମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । କିନ୍ତୁ ତଥାପି ନ୍ୟାୟ ଆଶା ରଖିଛନ୍ତି । କିନ୍ତୁ ସରକାରୀ ସ୍ତରରେ ବର୍ତ୍ତମାନ ସୁଦ୍ଧା ପରିବାରକୁ କୌଣସି ଆର୍ଥିକ ସହାୟତା ଦିଆଯାଇନାହିଁ ।
କେନ୍ଦ୍ର ସରକାରଙ୍କ ଦ୍ବାରା ପୀଡ଼ିତାଙ୍କ ପରିବାରକୁ ସହାୟତା ଦେବାର ଫଣ୍ଡ ରହିଛି । ମମିତାଙ୍କ ପରିବାରକୁ ପୀଡିତା କ୍ଷତିପୂରଣ ପାଣ୍ଠିରୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ମେହେର ସମାଜ ମଧ୍ୟ ମମିତା ପାଇଁ ନ୍ୟାୟ ଦାବି କରୁଛନ୍ତି । ଗତକାଲି SP ଏକାଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରିବା କଥା କହିଛନ୍ତି । ତେଣୁ ସାକ୍ଷୀମାନଙ୍କୁ ସାକ୍ଷୀ ସୁରକ୍ଷା ପାଣ୍ଠିର ମଧ୍ୟ ବ୍ୟବହାର କରି ସୁରକ୍ଷା ଦିଅନ୍ତୁ ରାଜ୍ୟ ସରକାର ।
ଅନ୍ୟପଟେ ଅପରାଧରେ ଓଡିଶା ଦେଶରେ 2ୟ ସ୍ଥାନରେ । 26 ପ୍ରତିଶତ ବଢ଼ିଛି ଅପରାଧ । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ଏହି ଟିମ । କେନ୍ଦ୍ରୀୟ ଟିମ ସମସ୍ତ ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ସେପଟେ ନିମ୍ନଲିଖିତ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଛି ଟିମ:-
1. ଅଭିଯୁକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ।
2. ମହାଲିଙ୍ଗ କଲେଜକୁ ଅହେତୁକ ଅନୁକମ୍ପା ଏବଂ କଲେଜକୁ ଅନେକ ଥର ମନ୍ତ୍ରୀଙ୍କ ଗସ୍ତ ସନ୍ଦେହଜନକ ।
3. ପୋଲିସ ହେପାଜତରୁ ଗୋବିନ୍ଦ ସାହୁ ବିଜୁଳି କାଟ ବାହାନାରେ କିପରି ଖସିଗଲେ ?
4. ଫରେନ୍ସିକ ରିପୋର୍ଟ ଆସି ନଥିବା ସତ୍ତ୍ବେ ପୀଡ଼ିତାର ଅସ୍ଥି ଏବଂ ଅନ୍ୟ ସାମଗ୍ରୀ କେମିତି ପରିବାରକୁ ହସ୍ତାନ୍ତର କଲା ପୋଲିସ ?
5. ଏ ଘଟଣାର CBI ତଦନ୍ତ ଦାବି କରିଛି କେନ୍ଦ୍ରୀୟ ଟିମ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ