ୟୁନିୟନ ବ୍ୟାଙ୍କରେ ରହିବ କାଳିଆ ଟଙ୍କା; ଟେଣ୍ଡର ମାଧ୍ୟମରେ ବ୍ୟାଙ୍କ ଚୟନ - ଟେଣ୍ଡର ମାଧ୍ୟମରେ ବ୍ୟାଙ୍କ ଚୟନ
ୟୁନିୟନ ବ୍ୟାଙ୍କରେ ରହିବ କାଳିଆ ଟଙ୍କା । ଏନେଇ ମନ୍ଦିର ପ୍ରଶାସନ ଆରମ୍ଭ କରିଛି ବିଧବଦ୍ଧ ପଦକ୍ଷେପ । କେଉଁବ୍ୟାଙ୍କ କେତେ ବିଡ ଦାଖଲ କରିଥିଲେ ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ପୁରୀ: ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ 545 କୋଟି ଟଙ୍କା ଜମା ରଖିବା ପ୍ରସଙ୍ଗରେ ସାରା ରାଜ୍ୟରେ ତୁମ୍ବିତୋଫାନ ହୋଇଥିଲା । ଶହଶହ କୋଟି ଟଙ୍କା କେଉଁ ପରିସ୍ଥିତିରେ ଗୋଟିଏ ଘରୋଇ ବ୍ୟାଙ୍କରେ ରଖାଗଲା । ୟେସ ବ୍ୟାଙ୍କର ସଂକଟ ଜନକ ସ୍ଥିତି ପରେ ଏହି ପ୍ରଶ୍ନ ଉଠିଥିଲା ।
ତେବେ ସମସ୍ତ ଆରୋପ ପ୍ରତ୍ୟାରୋପ ପରେ ଗତକାଲି ୟେସ ବ୍ୟାଙ୍କ ମହାପ୍ରଭୁଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଫେରାଇ ଦେଇଥିଲା । ଏହାସହ ଅବଶିଷ୍ଟ ଟଙ୍କା ଚଳିତ ମାସ ଶେଷସୁଦ୍ଧା ଫେରାଇବ ୟେସ ବ୍ୟାଙ୍କ ଉପ-ସଭାପତି ଚିଠି କରି ଜଣାଇଛନ୍ତି । ଟଙ୍କା ଫେରିବା ପରେ ଜଗା ଟଙ୍କାକୁ ଏଣିକି ଜାତୀୟ ବ୍ୟାଙ୍କରେ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଥିଲା । ନିଷ୍ପତି ଅନୁସାରେ ଜାତୀୟ ବ୍ୟାଙ୍କ ଗୁଡିକ ଠାରୁ ଟେଣ୍ଡର ଆହ୍ବାନ କରାଯାଇଥିଲା । ଆଉ ଏହି ଟେଣ୍ଡର ସ୍ବତ୍ତିଧିକାର ମିଳିଛି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆକୁ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ।
ଅଜୟ କହିଛନ୍ତି ଶ୍ରୀମନ୍ଦିର କର୍ପସ ଫଣ୍ଡ ଓ ଟେମ୍ପଲ ଫଣ୍ଡ ଟଙ୍କା ଜମା ପାଇଁ ଟେଣ୍ଡର ହୋଇଥିଲା । ଏଥିରେ ବିଭିନ୍ନ ଜାତୀୟ ବ୍ୟାଙ୍କ ଅଶଂଗ୍ରହଣ କରିଥିଲେ । ତେବେ 5.75 ପ୍ରତିଶତ ସୁଦ୍ଧ ଦେବାକୁ ୟୁନିୟନ ବ୍ଯାଙ୍କ ପ୍ରସ୍ତାବ ଦେଇଛି । ତେବେ ଅନ୍ୟ ଯେଉଁ ବ୍ୟାଙ୍କ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ ସେମାନେ ଅଧିକ ସୁଦ୍ଧ ଦେବାକୁ ଅମଙ୍ଗ ହୋଇଥିଲେ । ଫଳରେ ୟୁନିୟନ ବ୍ୟାଙ୍କକୁ ଟେଣ୍ଡର ମିଳିଛି ବୋଲି ସେ କହିଛନ୍ତି । ତେବେ ଦୁଇଟି ଫଣ୍ଡର କେତେ ଟଙ୍କା ରହିବ ତାହା ପରେ ନିଷ୍ପତି ହେବ । ଏହି ଟଙ୍କା 3 ବର୍ଷ ପାଇଁ ସ୍ଥାୟୀ ଜମା ରଖାଯିବ ।
ସୂଚନାଯୋଗ୍ୟ ଯେ ଟେଣ୍ଡର ୟୁନିୟନ ବ୍ୟାଙ୍କ, କାନାଡା ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ସାମିଲ ହୋଇଥିବା ବେଳେ ୟୁନିୟନ ବ୍ୟାଙ୍କ ସର୍ବାଧିକ 5.75 ପ୍ରତିଶତ ସୁଧ ଦେବାକୁ ବିଡ ଦାଖଲ କରିଥିଲା । ସେହିପରେ 5.40 ପ୍ରତିଶତ ଦେବାକୁ ଇଣ୍ଡିଆନ ବ୍ୟାଙ୍କ ରାଜି ଥିବାବେଳେ 5 ପ୍ରତିଶତ ଦେବାକୁ କାନାଡା ବ୍ୟାଙ୍କ ଟେଣ୍ଡରରେ ସାମିଲ ହୋଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ