ଭୁବନେଶ୍ବର : କମିସନରେଟ ପୋଲିସ ହାତରେ ଏରାଗୋଲା ଗ୍ୟାଙ୍ଗ୍ । ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରାଯାଇଛି । ସିଧାସାଧା ବେଶରେ ବ୍ୟାଙ୍କ ସାମ୍ନାରେ ଛକୁଥିଲେ ଏ ଲୁଟେରା ଗ୍ୟାଙ୍ଗ । ଆଉ ବ୍ୟାଙ୍କକୁ ଆସୁଥିବା ଗ୍ରାହକଙ୍କୁ ପିଛା କରି ରାସ୍ତାରେ ଲୁଟୁ ଥିଲେ ।
ରାଜଧାନୀରେ ଗତ କିଛିଦିନ ଧରି ବ୍ୟାଙ୍କ ଆସୁଥିବା ଗ୍ରାହାକଙ୍କ ଠାରୁ ଲୁଟ ହେଉଥିବାର ରିପୋର୍ଟ ହୋଇଥିଲା । ସେହିପରି ଗାଡିର ଡିକି ଓ କାଚ ଭାଙ୍ଗି ଲୁଟପାଟର ଖବର ଆସିବା ପରେ ପୋଲିସ ଆରମ୍ଭ କରିଥିଲା ଅପରେସନ । ଶେଷରେ କମିଶନରେଟ୍ ପୋଲିସ ହାତରେ ଧରାପଡିଥିଲା ଏରାଗୋଲା ଗ୍ୟାଙ୍ଗ୍। ସେମାନଙ୍କ ଠାରୁ ୨ ଟି ବାଇକ, ଏକ ହୀରା ଅଳଙ୍କାର, ଦେଢ଼ ଲକ୍ଷ ଟଙ୍କା, ୧୨ ଟି ମୋବାଇଲ ଜବତ କରାଯାଇଛି।
ସମସ୍ତ ଅଭିଯୁକ୍ତଙ୍କ ବୟସ ୨୨ ରୁ ୫୩ ବର୍ଷ ଭିତରେ ହେବ। ତେବେ ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ଘର ଆନ୍ଧ୍ରପ୍ରଦେଶ ବୋଲି ଜଣାପଡିଛି। ଏମାନେ ବିଶେଷ କରି ବ୍ୟାଙ୍କରୁ ଟଙ୍କା ଉଠାଇଉଥିବା ଲୋକଙ୍କୁ ଟାର୍ଗେଟ କରନ୍ତି । ଡିକି ଓ କାଚ ଭାଙ୍ଗନ୍ତି । କେମିକାଲ ଛାଟି ଅଭିନବ ଢଙ୍ଗରେ ଲୁଟ କରନ୍ତି ।
ଏପରିକି ନିଜକୁ ବ୍ୟାଙ୍କ କର୍ମଚାରୀ କିମ୍ବା କଷ୍ଟମର କହି ଲୁଟର ବ୍ଲୁ ପ୍ରିଣ୍ଟ ତିଆରି କରନ୍ତି । ଏପରିକି ବିଭିନ୍ନ କମ୍ପାନୀର ଏକଜୁକୁଟିଭ ଭାବେ ଆଇଡି କାର୍ଡ ପକାଇ ଗ୍ରାହକଙ୍କ ପିଛା କରୁଥିଲେ। ବ୍ୟାଙ୍କକୁ ଆସିଥିବା ଜଣେ ଗ୍ରାହାକଙ୍କ ଠାରୁ ଲୁଟ ହୋଇଥିବା ନେଇ ଖାରବେଳନଗର ଥାନାରେ ଏଗ୍ୟାଙ୍ଗ ନାଁରେ ଅଭିଯୋଗ ହୋଇଛି।
ସେହିପରି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଦମ୍ପତି ହୋଟେଲ ଯାଇଥିବା ବେଳେ ତାଙ୍କ ଗାଡିର କାଚ ଭାଙ୍ଗି ହୀରା ହାର ସହ ଟଙ୍କା ଲୁଟ କରିଥିଲେ ଏ ଗ୍ୟାଙ୍ଗ । କେବଳ ସେତିକି ନୁହେଁ, ଜଟଣୀ ଥାନା ଅଞ୍ଚଳର ଗାଡିର ଡିକି ଭାଙ୍ଗି ଟଙ୍କା ଲୁଟର ଅଭିଯୋଗ ରହିଛି।
ଏହି ଗ୍ୟାଙ୍ଗ ଆନ୍ଧ୍ରରୁ ଆସି ଭୁବନେଶ୍ବରେ ରହୁଥିଲେ ପରେ ଲୁଟ ପାଟ କରି ଛୁ ମାରୁଥିଲେ। ସେମାନଙ୍କ ଲିଙ୍କରେ ଆଉ କିଏ କିଏ ଅଛନ୍ତି । ଟ୍ଵିନସିଟି ବାହାରେ ସେମାନଙ୍କ ନାଁରେ ଆଉ କିଛି କେସ ଅଛି କି ? ଏ ନେଇ ଖୋଳତାଡ଼ ଜାରି ରହିଥିବା କହିଛନ୍ତି ଡିସିପି ।
ଇଟିଭି ଭାରତ,ଭୁବନେଶ୍ବର