ଭୁବନେଶ୍ବର: କୋଭିଡ-19 ମୁକାବିଲା ପାଇଁ ଅନ୍ୟ ରାଜ୍ୟ ଭଳି ଓଡିଶା ମଧ୍ୟ ବିଶେଷ ପ୍ରଭାବିତ ହୋଇଛି । କିନ୍ତୁ ଗତ 4 ବର୍ଷ ପୂର୍ବରୁ ରାଜ୍ୟ ଅର୍ଥନୀତି ଦୁର୍ବଳ ହୋଇପଡିଥିବା ବେଳେ ବର୍ତ୍ତମାନ କୋରୋନା ସମୟରେ ଏହା ଅଧିକ ପ୍ରଭାବିତ ହୋଇଛି । ରାଜସ୍ବ କମିବା ସହ କେନ୍ଦ୍ରୀୟ ଅନୁଦାନ ମଧ୍ୟ ହ୍ରାସ ପାଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।
ରାଜ୍ୟ ସରକାରଙ୍କ ଅଯୋଗ୍ୟତା କାରଣରୁ ଟିକସ କମୁଛି । ସେହିପରି କେନ୍ଦ୍ରରୁ 14 ପ୍ରତିଶତ ଅନୁମୋଦ ପାଇବା କଥା ତାହା ମଧ୍ୟ ସରକାର ମାଗୁନଥିବା ସେ କହିଛନ୍ତି । ଆଗକୁ ରାଜ୍ୟ ସରକାର କେଉଁ କ୍ଷେତ୍ରରେ କିଭଳି ରାଜସ୍ବ ବୃଦ୍ଧି କରିପାରିବ ସେ ନେଇ ବିଚାର କରିବାର ସମୟ ଆସିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଗ୍ରାମୀଣ ଅର୍ଥନୀତିକୁ ଅଧିକ ଗୁରୁତ୍ଵ ଦିଅନ୍ତୁ। କୃଷି, ମତ୍ସ୍ୟ ପାଳନ, ପଶୁ ସମ୍ପଦର ବିକାଶ ପାଇଁ ସ୍ବଳ୍ପ, ମଧ୍ୟମ ଓ ଦୀର୍ଘ ମିଆଦ ଖସଡା ପ୍ରସ୍ତୁତ କରନ୍ତୁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ