ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ପେନସନଧାରୀଙ୍କ ପେନସନ୍ ଅଟକାଇବା ପାଇଁ ରାଜ୍ୟ ସରକାରଙ୍କ ଚିଠିରେ କୌଣସି ଠାରେ ଉଲ୍ଲେଖ ନାହିଁ । ସେମାନେ ପୂର୍ବଭଳି ପେନସନ ପାଇବେ । ପେସନ୍ ପାଇବା ସଂକ୍ରାନ୍ତରେ ବିଜେପି ନେତ୍ରୀ ଯେଉଁ ଆରୋପ ଲଗାଉଛନ୍ତି ତାହା ଭିଭିହୀନ ଓ କପୋଳ କଳ୍ପିତ ବୋଲି ବିଜେଡି କହିଛି ।
ସରକାରଙ୍କ ବିରୁଦ୍ଧରେ ବିନା କୌଣସି ତଥ୍ୟରେ ମିଥ୍ୟ ଆରୋପ ଲଗାଇବାରେ ଲେଖାଶ୍ରୀ ସାମନ୍ତସିଂହାର ସିଦ୍ଧହସ୍ତା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପି ନେତ୍ରୀଙ୍କୁ ଜବାବ ଦେଇ ଲେନିନ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ପେନସନଧାରୀଙ୍କ ଲାଇଫ୍ ସାର୍ଟିଫିକେଟର ଯାଞ୍ଚ ସେମାନେ ପେନସନ ଉଠାଉଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତିବର୍ଷ କରିଥାନ୍ତି । ଏଭଳି ପେନସନଧାରୀଙ୍କ ପାଇଁ କୌଣସି ଯାଞ୍ଚର ଆବଶ୍ୟକତା ନାହିଁ । ପେନସନଧାରୀ ମାନେ ଅତି ସହଜରେ ଏ ସଂକ୍ରାନ୍ତରେ ବିଭାଗକୁ ଅବଗତ କରିପାରିବେ ।
ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା କେବଳ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନଙ୍କ ଲାଇଫ୍ ସାର୍ଟିଫିକେଟ ବିଶ୍ଵବିଦ୍ୟାଳୟ ଦ୍ବାରା ଯାଞ୍ଚ ହୋଇଥାଏ, ବ୍ୟାଙ୍କ ଦ୍ଵାରା ନୁହେଁ ବୋଲି ଲେନିନ କହିଛନ୍ତି ।
ବିଶ୍ୱବିଦ୍ୟାଳୟ ପେନସନଧାରୀ ମାନଙ୍କ ଯାଞ୍ଚ ପାଇଁ ଭର୍ଚୁଆଲ ବ୍ୟବସ୍ଥା ହୋଇଛି । ଯେଉଁମାନେ ବ୍ୟକ୍ତିଗତ ଭାବେ ଆସି ନପାରିବେ ସେମାନେ ଭରର୍ଚୁଆଲରେ ଉପସ୍ଥିତ ରହିବେ । ତେବେ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ପେନସନ ଅଟକାଇବା ପାଇଁ ସରକାର କୌଣସି ଠାରେ ଉଲ୍ଲେଖ କରିନାହାନ୍ତି । ପେନସନ ପ୍ରଦାନ ପୂର୍ବଭଳି ଜାରି ରହିବ । ଅନ୍ୟ ପକ୍ଷରେ ଯେଉଁଠାରେ ଯାଞ୍ଚ ବିଫଳ ହେବ ସେଠାରେ ପେନସନ ବନ୍ଦ କିମ୍ବା ଅଟକ ରଖାଯିବ । ସରକାରଙ୍କର ଏହି ନିର୍ଦ୍ଦେଶକୁ ଠିକ୍ ଭାବେ ନବୁଝି କେବଳ ରାଜନୀତି କରିବାପାଇଁ ବିଜେପି ନେତ୍ରୀ ଯେଭଳି କିମ୍ବୁତ କିମ୍ବାକାର ଆରୋପ ଲଗାଉଛନ୍ତି ସେଥିରୁ କ୍ଷାନ୍ତ ରହିବାକୁ ଲେନିନ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ