ଭୁବନେଶ୍ବର: ପଞ୍ଚଭୂତରେ ବିଲୀନ ହେଲେ ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ଏଥିସହ ସେ କୋଟି କୋଟି ଓଡିଆଙ୍କ ହୃଦୟରେ ସବୁଦିନ ପାଇଁ ଏକ ଅଭୁଲା ସ୍ମୃତି ପାଲଟିଯାଇଛନ୍ତି ।
ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ ମର ଶରୀର କେୟାର ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଘରକୁ ନିଆଯାଇଥିଲା । ପରେ ତାଙ୍କ ପାର୍ଥିବ ଶରୀରକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପ୍ରାଙ୍ଗଣକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ସମୟରେ ଓଲିଉଡ ଜଗତର ବିଶିଷ୍ଟ ହସ୍ତୀ ଓ ଅନ୍ୟାନ୍ୟ କ୍ଷେତ୍ରରୁ ଆସିଥିବା ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରି ସମ୍ମାନ ଜଣାଇଥିଲେ । ପରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ବାଇଁ ଦେବଦତ୍ତ ଦାସ ତାଙ୍କୁ ମୁଖାଗ୍ନି ଦେଇଛନ୍ତି ।
ପ୍ରକାଶ ଥାଉ କି, ସୋମବାର ସନ୍ଧ୍ୟାରେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ପଲସ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ସମଗ୍ର ଓଲିଉଡ ଜଗତକୁ ସ୍ତବ୍ଧ କରି ଦେଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ