ଭୁବନେଶ୍ବର: ସମସ୍ୟା ବଢ଼ାଉଛି ଡାକ୍ତର ଅଭାବ । ଅପରେସନ ପାଇଁ ମାସ ମାସ ଧରି ଅପେକ୍ଷା କରୁଛନ୍ତି ରୋଗୀ । କେତେବେଳେ ମେସିନ୍ ଅଚଳ ହୋଇପଡ଼ୁଛି ତ କେତେବେଳେ ଡାକ୍ତର ନର୍ସ ଅଭାବ । ଏଭଳି ସମସ୍ୟା ଦେଖା ଦେଇଛି ରାଜ୍ୟର ସ୍ମାର୍ଟସିଟିରେ ଥିବା ପ୍ରମୁଖ ସରକାରୀ କ୍ୟାପିଟାଲ ହସ୍ପିଟାଲରେ । ପରିସ୍ଥିତି ଏପରି ହୋଇଛି ଯେ, ରେଜିଷ୍ଟ୍ରେସନ୍ କରିବା ଠାରୁ ଆରମ୍ଭ କରି ଡାକ୍ତରଙ୍କୁ ସାକ୍ଷାତ, ନିଦାନ ପାଇଁ ରସିଦ୍ କାଟିବା, ରକ୍ତ ପରୀକ୍ଷା ପାଇଁ ଆଦି ସବୁଠି ଧାଡ଼ି ବାନ୍ଧିବାକୁ ପଡ଼ୁଛି । କେବଳ ଧାଡ଼ିରେ ନୁହେଁ ପରୀକ୍ଷା କରିବା ପାଇଁ ମଧ୍ୟ ରୋଗୀଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଛି ।
କ୍ୟାପିଟାଲ ହସ୍ପିଟାଲରେ ଅପରେସନ ପାଇଁ ଡାକ୍ତରଙ୍କ ଅଭାବ, ଦହଗଞ୍ଜ ହେଉଛନ୍ତି ରୋଗୀ ଏହା ହେଉଛି ରାଜଧାନୀର ସ୍ୱାସ୍ଥ୍ୟବସ୍ଥାର ବିକଳ ଚିତ୍ର । ଗୋଟିଏ ପଟେ ରାଜ୍ୟ ସରକାର ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ପିଜି ଇନଷ୍ଟିଚ୍ୟୁଟରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ହେଲେ ଏଠାରେ ରୋଗୀଙ୍କୁ ସାଧାରଣ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ମଧ୍ୟ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କ୍ୟାପିଟାଲ ହସ୍ପିଟାଲରେ ପଖାପାଖି 48 ଟି ବିଭାଗରେ ରୋଗୀଙ୍କୁ ସର୍ଭିସ ଯୋଗାଇ ଦିଆଯାଉଛି । ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଅଭାବ ସତ୍ତ୍ବେ ଏଠାରେ ଅପରେସନ ଚାଲିଛି, କିନ୍ତୁ ସୁପର ସ୍ପେସାଲିଷ୍ଟ ହୋଇପାରୁନାହିଁ । ଅତି ଗୁରୁତର ଅପରେସନ ପାଇଁ ବାହାର ହସ୍ପିଟାଲକୁ ପଠାଇ ଦିଆଯାଉଛି ବୋଲି ଖୋଦ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ କହିଛନ୍ତି ।ଭିତ୍ତିଭୂମି ଅଭାବରୁ ସରକାରୀ ହସ୍ପିଟାଲରେ ଅସ୍ତ୍ରୋପଚାର କରିବାରେ ଅଭାବ ଦେଖା ଦେଇଛି । ଏହା ସହ ଅପରେସନ ପାଇଁ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀ ଅଭାବ । ଯାହା ଫଳରେ ବାଧ୍ୟ ହୋଇ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି ରୋଗୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ