ଭୁବନେଶ୍ବର: ରାତି ପାହିଲେ ଚୁଲି କେମିତି ଜଳିବ ସେ ଚିନ୍ତାରେ ଥାଏ ଦିନ ମଜୁରିଆଟିଏ । ରାଜ୍ୟରେ କୋରୋନା ସଂକ୍ରମଣର ବୃଦ୍ଧି ଲକଡାଉନ ଲାଗୁ ହୋଇଛି । ଏହା ଭିତରେ ପେଶି ହେଉଛି ଦିନ ମଜୁରିଆଟିଏ । କାମ ନ ମିଳିବାରୁ ପରିବାର ପ୍ରତି ପୋଷଣ ନେଇ ଦିନ ମଜୁରିଆକୁ ଚିନ୍ତା ଘାରିଛି । କୋରୋନା ଅନେକଙ୍କ ଜୀବନ ଜୀବିକାକୁ ଛଡେଇ ନେଉଛି । ସେଥିରୁ ବାଦ ପଡିନାହାନ୍ତି ଦିନମଜୁରିଆ ।
ଭୋକର ଭୟ ଆଗରେ ହାର ମାନିଛି ରୋଗର ଭୟ । କାମଟିଏ ପାଇବାର ଆଶାରେ ଗାଁରୁ ସହରମୁହାଁ ହୋଇଥାଏ ଦିନମଜୁରିଆଟିଏ । ହେଲେ ସହରର ଏ ତାଲାବନ୍ଦ ତା କାମରେ ବି ତାଲା ପକାଇଛି । କାମଟିଏ ନ ପାଇଁ ଅଭାବ ଅନାଟନର ବଞ୍ଚୁଛି ଶ୍ରମିକଟି । କୋରୋନା ସଂକ୍ରମଣ ପାଇଁ ଲକଡାଉନ ନା ଚାଲୁଛି ଗାଡି ନା ମିଳୁଛି କାମ । ଏ ଭିତରେ ଗାଁକୁ ଫେରିବାର ସବୁ ବାଟ ବି ବନ୍ଦ ହୋଇଛି ଶ୍ରମିକଟିଏ ପାଇଁ । ଏ ପାଖରେ ଦୁଇ ପାଇସା ନ ଥିବାରୁ ଘରଭଡା ମଧ୍ୟ ଦେଇ ପାରୁନି ଶ୍ରମିକ । ମହାମାରୀର ପ୍ରଭାବ ଏତେ ଦୁଃଖ ଦେଇନି ଯେତେ ଏ ଭୋକର ଦୁଃଖ ଦେଇଛି । କୋରୋନା କାଳରେ କାମଟିଏ ପାଇବା ଆଶାରେ ହାତରେ କୋଡି କୋଦାଳ ଝୁଡି ଧରି କାମ ଅପେକ୍ଷାରେ ରାଜରାସ୍ତାରେ ଅପେକ୍ଷା କରିଛି ଶ୍ରମିକ ।
ଏପଟେ ଲକଡାଉନରେ ସରକାର ଦୁଇ ମାସର ରାସନ ଗରିବ ଲୋକଙ୍କୁ ଦେବାକୁ ଘୋଷଣା କରିଥିଲେ । ମାତ୍ର ଏହି କେବଳ ଘୋଷଣାରେ ସୀମିତ ରହିଛି । ଏବେ ବି ଅନେକଙ୍କ ପାଖରେ ପହଞ୍ଚିନି ସାମଗ୍ରୀ । ସେମାନଙ୍କ ଖାଦ୍ୟ ବାଟମାରଣା ହେଉଛି । ଏ ଦିଗରେ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହା ସହିତ ଦିନମଜୁରିଆଙ୍କ ପାଇଁ ସରକାର କିଛି ବ୍ୟବସ୍ଥା କଲେ ବେଶ ଉପକୃତ ହୁଅନ୍ତେ ବୋଲି କହନ୍ତି ଶ୍ରମିକ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ