ଭୁବନେଶ୍ବର: ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟ ର୍ୟାଙ୍କିଙ୍ଗରେ ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ବଜାୟ ରଖିଲା କିଟ୍ । ଦ ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟି ର୍ୟାଙ୍କିଙ୍ଗ ୨୦୨ରେ କିଟ୍ ବିଶ୍ବବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ଦି ଟାଇମ୍ସ ହାଇଅର ଏଜୁକେସନ୍’ ପକ୍ଷରୁ ବିଶ୍ବସ୍ତରୀୟ ଏସିଆ ୟୁନିଭର୍ସିଟି ମାନ୍ୟତା ଫଳାଫଳ ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍ ୩୦ତମ ସ୍ଥାନରେ ରହିଛି । ଏହାସହ ଏସିଆର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ୨୫୧+ ବର୍ଗରେ ରହିଛି କିଟ ।
ସେହିପରି ଜେନେରାଲ୍ ଇଂଜିନିୟରିଂର ଓଭରାଲ୍ ବର୍ଗରେ ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍ ୧୫ ତମ ସ୍ଥାନରେ ରହି ଦେଶର ପୂର୍ବାଞ୍ଚଳରେ ନିଜର ଟେକ ବଜାୟ ରଖିଛି । ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ଶିକ୍ଷାଦାନ, ଗବେଷଣା, ଜ୍ଞାନର ଆଦାନ ପ୍ରଦାନ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ବବିଦ୍ୟାଳୟଗୁଡ଼ିକର ମାନ୍ୟତା କରାଯାଇଛି ।
କିଟରେ ବ୍ୟାପକ କାର୍ଯ୍ୟକ୍ରମ ସହ ୨ ଶହରୁ ଊର୍ଦ୍ଧ୍ବ ବିଭିନ୍ନ ପାଠ୍ୟକ୍ରମ ରହିଥିବା ବେଳେ ଏହାକୁ ବିଚାରକୁ ନେଲେ ଦେଶର ସମସ୍ତ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ମଧ୍ୟରେ କିଟ୍ ଯଥେଷ୍ଟ ଉତ୍ତମ ପ୍ରଦର୍ଶନ କରିଛି । ଟାଇମ୍ସ ହାଇଅର୍ ଏଜୁକେସନ୍ ପକ୍ଷରୁ ଗତ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠିତ ଏସିଆର ବିଶ୍ବବିଦ୍ୟାଳୟଗୁଡ଼ିକୁ ଏହି ଚୟନ ପ୍ରକ୍ରିୟାରେ ସାମିଲ୍ କରାଯାଇଛି।
କିଟ୍ ୨୪ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ମାତ୍ର ୧୭ବର୍ଷର ବିଶ୍ବବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ୨୫୧+ ମାନ୍ୟତା, ଦେଶରେ ୩୦ତମ ଓ ଜେନେରାଲ୍ ଇଂଜିନିୟରିଂର ଓଭରାଲ୍ ବର୍ଗରେ କିଟ୍ ୧୫ତମ ସ୍ଥାନରେ ରହି କିଟ୍ ଓଡ଼ିଶାର ଗୌରବ ବୃଦ୍ଧି କରିପାରିଛି ।
ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ଚଳିତ ବର୍ଷ କରାଯାଇଥିବା ଏସିଆ ୟୁନଭରସିଟି ମାନ୍ୟତା ହେଉଛି ଏକ ବିଶ୍ବସ୍ତରୀୟ ପ୍ରଦର୍ଶନ ତାଲିକା । ଏହାପୂର୍ବରୁ ଆନ୍ତର୍ଜାତିକ ସ୍ତରରେ ହେଉଥିବା ସମସ୍ତ ମାନ୍ୟତାରେ ବର୍ଷ ବର୍ଷ ଧରି ଲଗାତାର କିଟ୍ ନିଜର ଉତ୍କର୍ଷତା ପ୍ରତିପାଦିତ କରିଆସୁଛି ।
ଏହି ସଫଳତା ପାଇଁ କିଟ୍ ଓ କିସର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶୁଭେଚ୍ଛୁ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ଉତ୍ତମ ଦୂରଦୃଷ୍ଟି ଓ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ପ୍ରତିବର୍ଷ ଦେଶର ପ୍ରତିଷ୍ଠିତ ଆଇଆଇଟି ଓ ଏନ୍ଆଇଟି ଆଦି ସରକାରୀ ବିଶ୍ବବିଦ୍ୟାଳୟ ଓ ସୁନାମ ଧନ୍ୟ ଘରୋଇ ବିଶ୍ବବିଦ୍ୟାଳୟ ସହ ସମକକ୍ଷ ହୋଇ ଉତ୍ତମ ପ୍ରଦର୍ଶନ ଜାରି ରଖିଛି । ଏହା ହିଁ ହେଉଛି କିଟର ସଫଳତା ବୋଲି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ