ଭୁବନେଶ୍ବର: ଗୋଟିଏ ଦିନ ପରେ ବଦଳିଲା ନିଷ୍ପତ୍ତି । ସ୍କୁଲ ଯାଇପାରିବେ ଗଣମାଧ୍ୟମ ପ୍ରତିନିଧି । କଙ୍କଡାହାଡ଼ ବିଇଓଙ୍କ ପକ୍ଷରୁ ଚିଠି ପ୍ରତ୍ୟାହାର ପରେ ନିଆଯାଇଛି ଏହି ନିଷ୍ପତ୍ତି । ସାମ୍ବାଦିକମାନଙ୍କୁ ସ୍କୁଲକୁ ବାରଣ ନିଷ୍ପତ୍ତି ଆସିବା ପରେ ଏହାକୁ ଅନେକ ବିରୋଧ କରିଥିଲେ ।
ସାମ୍ବାଦିକମାନେ ସ୍କୁଲକୁ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍ରେ ନୁହେଁ । କ୍ଲାସ ସରିବା ପରେ ସେମାନେ ସ୍କୁଲ ଯାଇପାରିବେ ଓ ସମସ୍ୟା ବୁଝିପାରିବେ । ଏଥିପାଇଁ ପରିଚାଳନା କମିଟି ସହ ଆଲୋଚନା କରିବାକୁ ପଡ଼ିବ । ସୂଚନା ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟ୍-କମ-କଲେକ୍ଟରଙ୍କ ନିର୍ଦ୍ଦେଶ ଅନୁଯାୟୀ ଢେଙ୍କାନାଳ ଜିଲ୍ଲାରେ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗରେ କଙ୍କଡାହାଡ ବିଦ୍ୟାଳୟରେ ଗଣମାଧ୍ୟମକୁ ଅନଧିକୃତ ପ୍ରବେଶକୁ ଦର୍ଶାଇ ଗତକାଲି ଚିଠି ହୋଇଥିଲା । ତେବେ ଏହା ପୂର୍ବରୁ ଜାରି କରାଯାଇଥିବା ଚିଠିକୁ ପ୍ରତ୍ୟାହାର କରାଯାଇଛି ।
ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଅନୁମତି ଆବଶ୍ୟକ । ନଚେତ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ଥାନାରେ FIR ଦେବାକୁ ଚିଠି ମାଧ୍ୟମରେ କଡା ନିର୍ଦ୍ଦେଶ ଦେଇଥିଲେ ଢେଙ୍କାନାଳ ଜିଲ୍ଲା କନକଡ଼ାହାଡ଼ ବ୍ଲକ ଶିକ୍ଷା ଅଧିକାରୀ । ଆଉ ଏବେ ନିଜ ଛେପ ନିଜେ ଢୋକିଛି ଶିକ୍ଷା ବିଭାଗ । ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କଙ୍କଡାହାଡ଼ ବିଇଓ ସ୍କୁଲ ମାନଙ୍କୁ ଦେଇଥିବା ନିର୍ଦ୍ଦେଶନାମାକୁ ନିଜେ ପୁଣି ପ୍ରତ୍ୟାହାର କରିଥିବା ଜଣାପଡିଛି ।
ଏହା ବି ପଢନ୍ତୁ- ଗଣମାଧ୍ୟମକୁ ସ୍କୁଲ ହତା ମନା, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ
ସୂଚନା ଥାଉକି, ସ୍କୁଲକୁ ଗଣମାଧ୍ୟମକୁ ମନା ପ୍ରସଙ୍ଗରେ ରାଜ୍ୟବ୍ୟାପି ପ୍ରତିବାଦର ସ୍ବର ଦୃଢ଼ୀଭୂତ ହେବାରେ ଲାଗିଥିଲା । ବିରୋଧୀ ଦଳଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ରାଜ୍ୟ ଗଣଶିକ୍ଷା ସଚିବ ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ସାମ୍ବାଦିକମାନଙ୍କ ପର୍ଯ୍ୟନ୍ତ ଘଟଣାକୁ ସମାଲୋଚନା କରିବାରେ ଲାଗିଥିଲେ ।
ଏପରିକି ଶିକ୍ଷା ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ବୋଲି ଖୋଦ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ମତବ୍ୟକ୍ତ କରିଥିଲେ । ଫଳରେ ବାଧ୍ୟ ହୋଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବ ଚିଠିକୁ କଙ୍କଡାହାଡ଼ ବିଇଓ ପ୍ରତ୍ୟାହାର କରିଥିବା ଜଣାପଡିଛି ।
ଇଟିଭି ଭାରତ, ଭୁବନେଶ୍ବର, ଢେଙ୍କାନାଳ