ଭୁବନେଶ୍ବର: ଅଲୌକିକ କଳିଙ୍ଗ ସାହିତ୍ୟ ମହୋତ୍ସବର ଚତୁର୍ଥ ସଂସ୍କରଣରେ ଓଡିଆ ସାହିତ୍ୟର ଅନେକ ମହାନ ସ୍ରଷ୍ଟାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଦୁଇଦିନ ଧରି ହେବାକୁ ଥିବା ଏହି ଭକ୍ତି, ଆଧ୍ୟାତ୍ମବାଦ ଓ କଳାର ଏହି ମହୋତ୍ସବର ପ୍ରଥମ ଦିବସରେ କଥାକାର ତଥା ଚଳିତ ବର୍ଷ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ଦ୍ଵିଭାଷୀ ଲେଖକ ମନୋଜ ଦାସଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି।
ପୁରସ୍କାର ବାବଦରେ ଶ୍ରୀ ଦାସଙ୍କୁ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି। ପୁରସ୍କାର ଗ୍ରହଣକରି ଉପସ୍ଥିତ ଦର୍ଶକଙ୍କୁ ଉଦବୋଧନ ଦେଇ ଶ୍ରୀ ଦାସ କହିଥିଲେ ଯେ, ପ୍ରତ୍ୟେକ ପୁରସ୍କାର ପାଇବା ପରେ ମୋ ମନରେ ପୁଲକ ଆସିଥାଏ ଓ ଆଜି ମଧ୍ୟ ସେହି ଭାବନା ପ୍ରତିଫଳିତ ।
ଅଲୌକିକ କକିଙ୍ଗ ମହୋତ୍ସବ ସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଯେ, ଏହା ବୋଧହୁଏ ଭାରତ କାହିଁକି ବିଶ୍ବରେ ମଧ୍ୟ ବିରଳ ଯେ ରହସ୍ୟବାଦ ଉପରେ ଏକ ସାହିତ୍ୟ ମହୋତ୍ସବ ଆୟୋଜନ ହେଉଛି । ଏହି ଅବସରରେ ଶ୍ରୀ ଦାସ ଚତୁର୍ଥ ଅଲୌକିକ କଳିଙ୍ଗ ମହୋତ୍ସବର ମୁଖ୍ୟ ବିଷୟ “ଦୈବିକ ପ୍ରଗଳଭତା : ପ୍ରଜ୍ଞାନ, ଆନନ୍ଦ ଓ ରୂପାନ୍ତରଣ ‘ ଶୀର୍ଷକରେ ସମ୍ଭାଷଣ ପ୍ରଦାନ କରିଥିଲେ ।
ଦୈବିକ ପ୍ରଗଳଭତା ଏକ ପରାଶକ୍ତି ସହିତ ନିଜକୁ ଦେଖିବାର ଅନୁଭବ ଓ ଏହାର ଧର୍ମ, ସମ୍ପ୍ରଦାୟ ସହିତ କୌଣସି ସମ୍ପର୍କ ନାହିଁ ବୋଲି ସେ କହିଥିଲେ। ଏହି ଅନୁଭବ ଜଣେ ବ୍ୟକ୍ତିଙ୍କୁ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଶକ୍ତି ଦେଇଥାଏ । ଫ୍ରାନ୍ସ ଦେଶର ଯୋଦ୍ଧା ତଥା ଅଳ୍ପ ବୟସରେ ପ୍ରାଣ ତ୍ୟାଗ କରିଥିବା ପଞ୍ଚଦଶ ଶତାବ୍ଦୀର ତରୁଣୀ ଜୋଆନ ଅଫ ଆର୍କଙ୍କ ବିଷୟ ଉତଥାପନ କରି ସେ କହିଥିଲେ ଯେ ସେ ଜଣେ ଦିବ୍ୟ ଉନ୍ମାଦରେ ପ୍ରଭାବିତ ହୋଇଥିବା ମହିଳା ହୋଇ ମଧ୍ୟ ସେ ଦେଶର ଇତିହାସରେ ଏକ ବିରାଟ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଥିଲେ।
ଆଧୁନିକ ସାହିତ୍ୟ, ବିଶେଷ କରି ଆଧୁନିକ କବିତାରେ ସାହିତ୍ୟର ମାନ ଅନେକାଂଶରେ କ୍ଷୁର୍ଣ୍ଣ ହେଉଛି ବୋଲି ସେ କହିଥିଲେ। ଅନେକ ସମୟରେ ଅବୋଧ୍ୟ, କହି ହେଉନଥିବା କଥାକୁ କବିତା ଆକାରରେ କୁହାଯାଉଥିଲେ ହେଁ ଆଧୁନିକ କବିତା ଏହି ଗୁଣଟିର ଦୁର୍ବ୍ୟବହାର କରିଥାଏ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।
ଆଧୁନିକ କବିତାରେ ସୁନ୍ଦର ବିଦ୍ରୂପ ରହିବା ସହିତ ଅନେକ ପରିମାଣରେ ଭେଜାଲ ମଧ୍ୟ ରହୁଛି ବୋଲି ସେ ଏହି ଅବସରରେ କହିଥିଲେ। ମନୋଜ ଦାସଙ୍କ ସହିତ ଏହି ମଞ୍ଚରେ ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ପ୍ରତିଭା ରାୟଙ୍କ ପରି ଓଡିଆ ସାହିତ୍ୟର ପ୍ରମୁଖ ବ୍ୟକ୍ତିତ୍ଵ ଯୋଗ ଦେଇଥିଲେ।
ଅଲୌକିକ କଳିଙ୍ଗ ମହୋତ୍ସବର ପ୍ରଥମ ଦିବସରେ ସାହିତ୍ୟକୃତି ମନ୍ଥନ୍, ଭକ୍ତିବାଦ, ପଞ୍ଚସଖା ସାହିତ୍ୟ, ଲେଖକଙ୍କ ସହିତ ଆଲୋଚନା, ସୁଫି ସଙ୍ଗୀତ ପରିବେଷଣ ଆଦି ସାତଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହାସହିତ ମିଷ୍ଟିକ ମାଇକ କାର୍ଯ୍ୟକ୍ରମରେ ସମାନ୍ତରାଳ ଭାବେ ଅନେକ କଳାକାର ଗୀତ ଓ ସଙ୍ଗୀତ ଓ ଲୋକଗୀତ ପରିବେଷଣ କରିଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ