ଭୁବନେଶ୍ବର: ଓଡି଼ଶା ଗସ୍ତରେ ଆସିଛନ୍ତି ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ । ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ଯୁଗ୍ମ ସଚିବ । ଶନିବାର ଭୁବନେଶ୍ବରର ଖାରବେଳ ଭବନରେ ସୂଚନା ଏବଂ ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ସହିତ ଆଲୋଚନା କରିଛନ୍ତି ଉଷା ।

ରାଜ୍ୟରେ ଚାଲୁରହିଥିବା ବିଭିନ୍ନ ବିମାନ ଚଳାଚଳ କ୍ଷେତ୍ର ସମ୍ବନ୍ଧରେ ଦୀର୍ଘ ସମୟ ଧରି ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରତିନିଧି ଆଲୋଚନା କରିଛନ୍ତି । ରାଜ୍ୟରେ ଚାଲିଥିବା ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବାବଦରେ ସୂଚନା ଏବଂ ପ୍ରଯ୍ୟୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି । ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରୋଡ଼ ମ୍ୟାପ ବାବଦରେ ସଚିବ ଅବଗତ କରିଛନ୍ତି ।
ପୁରୀ, ରାଉରକେଲା, ଭବାନୀପାଟଣା ଏବଂ ଜୟପୁର ବିମାନବନ୍ଦରର ବିକାଶ ବିଷୟରେ ବିସ୍ତ୍ରୁତ ଆଲୋଚନା ହୋଇଛି । ରାଉରକେଲା ଏବଂ ଜୟପୁର ବିମାନବନ୍ଦର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ ଶୀଘ୍ର UDAN ଯୋଜନାରେ ସାମିଲ ହେବା ନେଇ ଦାବି ଉପସ୍ଥାପନ କରାଯିବ । ନୂତନ ବିମାନବନ୍ଦର ଗୁଡ଼ିକ ସହିତ ବାୟୁ ସଂଯୋଗ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା ହୋଇଛି । UDAN ଯୋଜନା ଅନ୍ତର୍ଗତ ନୂତନ ସଂଯୋଗ ପାଇଁ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଓଡିଶା ସରକାର ମିଳିତ ଭାବରେ ଚୂଡାନ୍ତ ନିଷ୍ପତ୍ତି ନେବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ