ଭୁବନେଶ୍ବର: ଝାଡଖଣ୍ଡରୁ ଆସି ଭୁବନେଶ୍ବରରେ ଲୁଟୁଥିଲେ । ଜନଗହଳି ରାସ୍ତା ହେଉ ବା ନିଛାଟିଆ ସ୍ଥାନ । ମୋବାଇଲ ଝାମ୍ପି ନେଇ ଛୁ ମାରୁଥିଲେ । ଏପରି ଢଙ୍ଗରେ ଲୁଟପାଟ କରୁଥିବା ଗ୍ୟାଙ୍ଗର ସୁରାକ ମିଳିଥିଲା ସିସିଟିଭିରୁ । ଆଉ ଯାହାକୁ ନେଇ ଚିନ୍ତାମଣିଶ୍ବର ଲେନରେ ଏକ ଭଡାଘରୁ ୧୦୩ ମୋବାଇଲ ଫୋନ ଜବତ ହୋଇଥିଲା। ତେବେ, ଏହି ଘଟଣାରେ ଝାଡଖଣ୍ତ ସାହେବ ଗଂଜର ୩ ଅଭିଯୁକ୍ତ ଦିପକ କୁମାର,କାଞ୍ଚନ ନୁନିଆ ଓ ଅଙ୍କିତ କୁମାର ପାଶ୍ବନଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବିଶେଷ କରି ଏହି ଅଭିଯୁକ୍ତମାନେ, ମର୍ଣ୍ଣି ଓ୍ବାର୍କ ଓ ଇଭିନିଂ ସମୟରେ ଏପରି ଲୁଟପାଟ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ,ଗତ ୩୧ ତାରିଖରେ ପ୍ରଭାକର ଗୋଏଙ୍କା ନାମକ ବ୍ୟକ୍ତିଙ୍କଠୁ ଝାମ୍ପି ନେଇଥିଲେ ଫୋନ । ଏନେଇ ବ୍ୟକ୍ତି ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଭିଡିଓରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଆଉ ଧରାପଡିଥିଲା ପୁରା ଗ୍ୟାଙ୍ଗ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ