ଭୁବନେଶ୍ବର: ଅନିଶ୍ଚିତତା ଭିତରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ରାଜରାସ୍ତାରେ ଛାତ୍ରଛାତ୍ରୀ । ରାଜ୍ୟର ପ୍ରାୟ ଦେଢ ଲକ୍ଷ ଆଇଟିଆଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବେ କୁହୁଳିଛି ଅସନ୍ତୋଷ । 2018ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ନିର୍ଦ୍ଦିଷ୍ଟ କିଛି ଛାତ୍ରଛାତ୍ରୀ ଏ ଯାଏଁ ପରୀକ୍ଷା ଦେଇ ପାରୁନାହାନ୍ତି କି ସେମାନଙ୍କ ପରୀକ୍ଷା ଫଳ ମଧ୍ୟ ପ୍ରକାଶ କରାଯାଉ ନାହିଁ । ଯାହାକୁ ନେଇ ଶତାଧିକ ଛାତ୍ରଛାତ୍ରୀ ରାଜଧାନୀର ରାଜରାସ୍ତାରେ ବସି ପ୍ରତିବାଦ କରିଛନ୍ତି ।
![ରେଜଲ୍ଟ ପ୍ରକାଶ ନ ହେବା ପ୍ରତିବାଦରେ ରାଜରାସ୍ତାରେ ଆଇଟିଆଇ ଛାତ୍ରଛାତ୍ରୀ](https://etvbharatimages.akamaized.net/etvbharat/prod-images/od-bbsr-03-education-iti-students-strik-7206049_04092021154923_0409f_1630750763_1022.jpg)
ସୂଚନାଥାଉ କି, 2018 ମସିହାରେ ଆଇଟିଆଇରେ ନାମ ଲେଖାଇ ପାଠ ପଢୁଥିବା ଛାତ୍ରଛାତ୍ରୀ 2020 ଜୁଲାଇ ମାସରେ ପରୀକ୍ଷା ଦେବା କଥା । କିନ୍ତୁ କୋଭିଡ ସ୍ଥିତି ଯୋଗୁଁ ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିଲା । ଗତ ନଭେମ୍ବର 23 ତାରିଖରେ 6ଟି ପେପରରୁ 2ଟି ପେପର ଇଞ୍ଜିନିୟରିଂ ଡ୍ରଇଂ ଓ ପ୍ରାକ୍ଟିକାଲ ପରୀକ୍ଷା ଅଫଲାଇନରେ କରାଗଲା । ସେହିପରି 2019ରେ ପାଠ ପଢୁଥିବା ପିଲା ଜୁଲାଇ 20ତାରିଖରେ ପ୍ରଥମ ବର୍ଷ ପରୀକ୍ଷା ଦେବା କଥା, କିନ୍ତୁ ସରକାରଙ୍କ କୋଭିଡ କଟକଣା ଯୋଗୁଁ ସେମାନେ ଚଳିତ ବର୍ଷ ମାର୍ଚ୍ଚ 22ରେ ଦୁଇଟି ପେପର ଅଫଲାଇନରେ ଦେଇଥିଲେ । ଦୁଇଟି ପରୀକ୍ଷା ଅଫଲାଇନରେ କରାଯିବା ପରେ ବାକି 3ଟି ପରୀକ୍ଷା ପାଇଁ ନିମି, ଉଇପ୍ରୋ ଓ ଏନଏସଇଆଇଟି ଆଦି ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା । ବ୍ୟବସ୍ଥା ଅନୁଯାୟୀ ନିମି ପରୀକ୍ଷା ଫି ଆଦାୟ କରିବ l ଏନଏସଇଆଇଟି ପରୀକ୍ଷା କରିବ ଓ ଉଇପ୍ରୋ ମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରିବାର ବ୍ୟବସ୍ଥା ଥିଲା । ବିନା ପରୀକ୍ଷାରେ ଦଶମ ଓ ଯୁକ୍ତ ଦୁଇ ପିଲାଙ୍କ ରେଜଲ୍ଟ ପ୍ରକାଶ କରାଯାଇଥିବାବେଳେ ଏ ଯାଏଁ ବି ସେମାନଙ୍କ ରେଜଲ୍ଟ ବାହାର କରାଯାଇ ନାହିଁ ।
ଏଥିସହ ଆଇଟିଆଇ ସିଲାବସରେ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା ନାହିଁ l ଅଷ୍ଟମ ପାସ ଓ ତଦୁର୍ଦ୍ଧ୍ବ ପିଲାମାନେ ଓୟାରମେନ, ଟେଲରିଂ, ବୁକ ବାଇଣ୍ଡର, ଟ୍ରକ୍ଟର ମେକାନିକାଲ ଭଳି ପାଠ ଆଇଟିଆଇରେ ପଢନ୍ତି l ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ଆଦୌ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ l ଏପରିସ୍ଥଳେ ସେମାନେ ପରୀକ୍ଷା କିଭଳି ଦେବେ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ଆଇଟିଆଇ ଛାତ୍ରଛାତ୍ରୀ ଏଭଳି ଅନେକ ଅସୁବିଧାର ସମ୍ମୁଖିନ ହେଉଥିବାବେଳେ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ନଚେତ୍ ବିଭିନ୍ନ ଘରୋଇ ଆଇଟିଆଇ ଅନୁଷ୍ଠାନ ଓ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ