ଭୁବନେଶ୍ବର: ଶ୍ରମିକ ସଂଗଠନ ତରଫରୁ ପେଟ୍ରୋଲ, ଡିଜେଲ, ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ଆନ୍ଦୋଳନକୁ ଦୃଢ଼ସମର୍ଥନ କରିବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ(INTUC) ।
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଜନତାଙ୍କୁ ବ୍ୟଥିତ କରୁଛି। ଅନ୍ତର୍ଜାତୀୟ ବଜାରରେ ୨୦୧୪ ମସିହା ତୁଳନାରେ ଅଶୋଧିତ ତୈଳ ମୂଲ୍ୟ କମ ଥିବାବେଳେ କେନ୍ଦ୍ର ସରକାରଙ୍କ ଅତ୍ୟଧିକ ଶୁଳ୍କ ଓ ରାଜ୍ୟ ସରକାରଙ୍କର ମୂଲ୍ୟଯୁକ୍ତ କରର ଅହେତୁକ ବୃଦ୍ଧି ହେତୁ ଦେଶରେ ତୈଳଦର ଉଚ୍ଚା ରହିଛି ।
ଏପରିକି ଭାରତରେ ପେଟ୍ରୋଲ, ଡିଜେଲ ଦର ପଡୋଶୀ ରାଜ୍ୟ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ନେପାଳ ଅପେକ୍ଷା ଯଥେଷ୍ଟ ଅଧିକ ରହିଛି। ୨୦୧୪ ମସିହାରେ ଡିଜେଲ ଲିଟର ପିଛା ୬୩ ଟଙ୍କା ଓ ପେଟ୍ରୋଲ ଲିଟର ପିଛା ୭୨ ଟଙ୍କା ବିକ୍ରି ହେଉଥିଲା । ପେଟ୍ରୋଲ ଉପରେ ଲିଟର ପିଛା ମାତ୍ର ୯.୪୮ ପଇସା ଓ ୩.୫୬ ପଇସା କେନ୍ଦ୍ର ଶୁଳ୍କ ଆଦାୟ କରାଯାଉଥିବା ବେଳେ ଏବେ ଲିଟର ପେଟ୍ରୋଲ ଉପରେ ୩୨.୯୦ ପଇସା ଓ ଡିଜେଲ ଲିଟର ପିଛା ୩୧.୮୦ ପଇସା କେନ୍ଦ୍ରୀୟ ଶୁଳ୍କ ଆଦାୟ କରାଯାଉଛି।
ସାରା ଦେଶରେ କୋଭିଡ ସଂକ୍ରମଣ ପରିସ୍ଥିତିରେ ଜୀବନ ଜୀବିକା ହରାଇ ଆତଙ୍କିତ ଅବସ୍ଥାରେ ଲୋକେ ଥିବାବେଳେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ଟିକସ ବୃଦ୍ଧି କରି ଗରିବ ଜନତାଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛି ଶ୍ରମିକ ସଂଗଠନ । ତେଣୁ ଏହାର ଦୃଢ଼ ପ୍ରତିବାଦ କରି ମଜଦୂର କଂଗ୍ରେସ ।
କଂଗ୍ରେସ ଦଳ ପକ୍ଷରୁ ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ ଦିଆଯାଇଥିବା ଆନ୍ଦୋଳନ କାର୍ଯ୍ୟକ୍ରମ ଏବଂ ବାମପନ୍ଥୀ ଦଳ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଆହ୍ବାନକୁ ସମସ୍ତ ଶ୍ରମିକ କର୍ମଚାରୀ ସମର୍ଥନ କରିବେ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ