ଭୁବନେଶ୍ବର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଓଡିଆ ଭାଷାରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
![ସମସ୍ତ ଶିକ୍ଷାନୁଷ୍ଠାନରେ ଓଡିଆ ଭାଷାରେ ନାମଫଳକ ଲେଖ: ଉନ୍ନୟନ କମିଶନର](https://etvbharatimages.akamaized.net/etvbharat/prod-images/15159458_aa.jpg)
ନିର୍ଦ୍ଦେଶନାମାକୁ ଆସନ୍ତା ତିନି ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚିଠି ଲେଖି ଉନ୍ନୟନ କମିଶନର କହିଛନ୍ତି ରାଜ୍ୟରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ନାମଫଳକ ଓଡିଆ ଭାଷାରେ ଲେଖିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଭାରତର ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ଭାଷା ସହିତ ପ୍ରାଦେଶିକ ଭାଷାକୁ ଗୁରୁତ୍ବ ଦିଆଯାଉଛି। ସମସ୍ତ ଶିକ୍ଷାନୁଷ୍ଠାନରେ ନାମଫଳକ ଇତ୍ୟାଦି ଇଂରାଜୀ ସହିତ ପ୍ରାଦେଶିକ ଭାଷାରେ ଲେଖାଯାଉଛି। ତଦନୁଯାୟୀ ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ନାମଫଳକ ଆଦି ଓଡିଆ ଭାଷାରେ ଲେଖାଗଲେ ଓଡିଆ ଭାଷାର ଗୌରବ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ।
ଏଣୁ ଏହାକୁ ଗୁରୁତ୍ଵ ଦେଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସହିତ ଅଧିକାରୀମାନଙ୍କ ନାମଫଳକ ଇତ୍ୟାଦି ଓଡିଆ ଭାଷାରେ ନିର୍ଭୁଲ ଭାବରେ ଲେଖାଯିବା ପାଇଁ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାପାଇଁ ଜିଲ୍ଲାପାଳଙ୍କୁ ଚିଠିରେ ଲେଖିଛନ୍ତି ଉନ୍ନୟନ କମିଶନର ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ