ଭୁବନେଶ୍ବର : ବିଶ୍ବର ମୋଟ ଗାଡି ମଧ୍ୟରୁ ଭାରତରେ ରହିଛି ମାତ୍ର 1 ପ୍ରତିଶତ । ସେହି ଅନୁସାରେ ଭାରତରେ ବାର୍ଷିକ 6 ପ୍ରତିଶତ ସଡକ ଦୁର୍ଘଟଣା ହେଉଥିବା ରେକର୍ଡ ରହିଛି । ହେଲେ ଅନ୍ୟ ଦେଶ ତୁଳନାରେ ଭାରତରେ ଅଧିକ ଅର୍ଥାତ 11 ପ୍ରତିଶତ ମୃତହାତ ହେଉଥିବା ବିଶ୍ବ ବ୍ୟାଙ୍କ ରିପୋର୍ଟ ପ୍ରକାଶ କରିଥିବା ନେଇ କହିଛନ୍ତି ରାଜ୍ୟ ପରିବହନ ସଚିବ ମଧୁସୂଦନ ପାଢ଼ୀ ।
ଏହି ସଡକ ଦୁର୍ଘଟଣା ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହେଉଥିବା ବେଳେ ପାଖାପାଖୀ 75 ପ୍ରତିଶତ ଦୁର୍ଘଟଣାର ଶିକାର 18 ରୁ 45 ବର୍ଷ ବୟସ୍କ ପ୍ରାଣ ହରାଉଛନ୍ତି । ଯେଉଁଥିପାଇଁ ସେମାନଙ୍କ ପରିବାର ଆର୍ଥିକ ଅନଟନ ମଧ୍ୟକୁ ପେଶି ହେଉଥିବା ବେଳେ ସମାଜ ମଧ୍ୟ ପ୍ରଭାବିତ ହେଉଛି ।
ଆକଳନରୁ ଆହୁରି ମଧ୍ୟ ଦେଖା ଦେଇଛି କି, ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପାଖାପାଖୀ 3 ପ୍ରତିଶତ ଟଙ୍କା ଦୁର୍ଘଟଣା ଯୋଗୁଁ ପାଣିରେ ମିଶିଯାଉଛି । ଏହି କ୍ରମରେ ଓଡିଶାର ରାଜରାସ୍ତାରେ ସବୁଠାରୁ ଅଧିକ ଦୁର୍ଘଟଣା, ପ୍ରାୟ 65 ପ୍ରତିଶତ ହେଉଥିବା ଜଣାପଡ଼ିଛି । ଯେଉଁଥିରେ ରାଜ୍ୟର 2 ପ୍ରତିଶତ ଜାତୀୟ ରାଜପଥ ଥିବାବେଳେ ଏଥିରେ 40 ପ୍ରତିଶତ ଓ ରାଜ୍ୟ ରାଜପଥ 3 ପ୍ରତିଶତ ଥିବା ବେଳେ ସେଥିରେ 25 ପ୍ରତିଶତ ଦୁର୍ଘଟଣା ହେଉଥିବା କହିଛନ୍ତି ପାଢ଼ୀ। ଆହୁରି ମଧ୍ୟ କେବଳ ରାଜ୍ୟରେ ଦୁଇ ଚକିଆ ଯାନ ଯୋଗୁଁ 40 ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଥିବା ଦେଖାଦେଇଛି । ଯାହାକି ସାମ୍ପ୍ରତିକ ପରିସ୍ଥିତି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏହାକୁ ରୋକିବାରେ ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ସଡକ ସୁରକ୍ଷା ମାସର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେହେରା ଆହୁରି କହିଛନ୍ତି କି, ‘‘ତାମିଲନାଡୁ ସାରା ଦେଶରେ ସଡକ ସୁରକ୍ଷା କ୍ଷେତ୍ରରେ ରେକର୍ଡ କରିଛି । ବିଗତ 4 ବର୍ଷ ମଧ୍ୟରେ ଏହା 50 ପ୍ରତିଶତ ଦୁର୍ଘଟଣା କମାଇ ପାରିଥିବା ବେଳେ ଯଦି 3 ଏମ ବା ମଦ,ମୋବାଇଲ ଓ ମାଇଲେଜ କୁ ଗାଡି ଚଳାଇବା ବେଳେ ପରିତ୍ୟାଗ କରି ପାରିବା ତେବେ ଅନେକ ସଫଳତା ପାଇପାରିବା । ଆଜିର ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ ଅଭୟ,ପରିବହନ କମିଶନର ସଂଜୀବ ପଣ୍ଡା,ଫୁଡ଼ ପ୍ରଡକ୍ସନ କମିଶନର ରାଜ କିଶୋର ଶର୍ମା,ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇ ସଡକ ଦୁର୍ଘଟଣାର କାରଣ ଓ ତାହାକୁ ନ ମାନିବାର ପରିଣତି ବିଷୟରେ ଅବଗତ କରାଇବା ସହ ରାଜ୍ୟକୁ ଏ କ୍ଷେତ୍ରରେ ସୁନାମ ଆଣିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ