ଭୁବନେଶ୍ବର: ତୀର୍ଥଯାତ୍ରା କରିବାକୁ ଯାଉଥିବା ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ପାଇଁ ୧୩ ଡିସେମ୍ବରରେ ଆରମ୍ଭ ହେବାକୁ ଯାଉଛି ସ୍ବତନ୍ତ୍ର ଟ୍ରେନ ସେବା । ବାଲେଶ୍ବର ଓ ହରିଦ୍ବାର ମଧ୍ୟରେ ଏକ ବରିଷ୍ଠ ନାଗରିକ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରାଯାଇଛି I
ଓଡିଶା ସରକାରଙ୍କ ସହାୟତାରେ ଉତ୍ତର ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍ବତନ୍ତ୍ର ଟ୍ରେନ ତୀର୍ଥ ଭ୍ରମଣ ପାଇଁ ସହାୟକ ହେବ । ଏହି ସମୟରେ ତୀର୍ଥଯାତ୍ରୀମାନେ ବିଭିନ୍ନ ତୀର୍ଥସ୍ଥାନ ଯଥା ହରିଦ୍ବାର, ମନସାଦେବୀ ମନ୍ଦିର, ହର-କି-ପୌରୀ ସହିତ ହୃଷିକେଶର ରାମଝୁଲା ଓ ଲକ୍ଷ୍ମଣଝୁଲା ଇତ୍ୟାଦି ପରିଦର୍ଶନ କରିବେ I
ଭୁବନେଶ୍ବର-ହରିଦ୍ବାର-ଭୁବନେଶ୍ବର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସ୍ବତନ୍ତ୍ର ଟ୍ରେନ ବାଲେଶ୍ବର ଠାରୁ ଆସନ୍ତାକାଲି ପୂର୍ବାହ୍ନ ୧୧ଘ.୪୫ମି.ରେ ଛାଡି ହରିଦ୍ବାର ଠାରେ ତାପର ଦିନ ଅର୍ଥାତ14 ତାରିଖ ରାତ୍ର ୧୦ଘ.୧୫ମି.ରେ ପହଞ୍ଚିବ I ପରେ ଏହି ଟ୍ରେନ ହରିଦ୍ବାର ଠାରୁ ଡିସେମ୍ବର ୧୬ ଦିନ ରାତ୍ର ୧୦ ଘଟିକାରେ ଛାଡି ବାଲେଶ୍ବର ଠାରେ ଡିସେମ୍ବର ୧୮ ତାରିଖ ପୂର୍ବାହ୍ନ ୧୦ ଘ.୧୫ମି.ରେ ପହଞ୍ଚିବ I
ଓଡିଶା ରାଜ୍ୟ ସରକାରଙ୍କ ପାଇଁ ଭାରତୀୟ ରେଳବାଇ କ୍ୟାଟେରିଙ୍ଗ ଓ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଚଳାଚଳ କରାଯାଉଥିବାବେଳେ ପୂର୍ବତଟ ରେଳପଥ ପକ୍ଷରୁ ଏଥିପାଇଁ ଆଧାରଭୁକ୍ତ ସୁବିଧା ପ୍ରଦାନ କରାଯାଉଅଛି I
ବିଭିନ୍ନ ତୀର୍ଥଯାତ୍ରା ପାଇଁ ସାଧାରଣ ଜନତା ଓ ତୀର୍ଥଯାତ୍ରୀମାନେ ଆଇଆରସିଟିସି ୱେବସାଇଟ www.irctctourism.com ରେ ସୂଚନା ପାଇପାରିବା ସହିତ +91 8287932231 ନମ୍ବରରେ ମଧ୍ୟ ଫୋନ ଦ୍ବାରା ସୂଚନା ସମ୍ବନ୍ଧରେ ଅବଗତ ହେଇପାରିବେ I
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ