ଭୁବନେଶ୍ବର: ରାଜ୍ୟର ଆଠଗଡ ଅଞ୍ଚଳରୁ ଚୋରା ବେପାରୀଙ୍କ ଦ୍ବାରା ବନ୍ୟଜୀବ ବଜ୍ରକାପ୍ତା ଚାଲାଣ ଘଟଣାର ଅଧିକ ତଦନ୍ତ ପାଇଁ ଓଡିଶାରେ ଆସି ପହଞ୍ଚିଛନ୍ତି ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ସଦସ୍ୟ। ଯେଉଁମାନେ ଆଠଗଡ ଡିଏଫଓଙ୍କ ସହିତ ଆଲୋଚନା କରିବା ସହିତ ଏହାର ବିଭିନ୍ନ ଦିଗ ଉପରେ ଶନିବାର ଠାରୁ ତଦନ୍ତ ଆରମ୍ଭ କରିବେ ବୋଲି ସୂଚନା ମିଳିଛି।
ରାଜ୍ୟ ସରକାରଙ୍କ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଚୋରା ଚାଲାଣ ଘଟଣାର ଅନ୍ତର୍ଜାତୀୟ ଲିଙ୍କ ସହିତ ଏହା କେଉଁ ଉଦ୍ଦେଶ୍ୟରେ ଏବଂ କେଉଁ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ତାହାର ସବିଶେଷ ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ଅନୁରୋଧ କରାଯାଇଥିଲା। ଏହା ସହିତ ରାଜ୍ୟ ଏସଟିଏଫକୁ ମଧ୍ୟ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିବା ଓଡିଶା ଚିଫ ୱାଇଲ୍ଡ ଲାଇଫ ୱାର୍ଡନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି।
ତେବେ ବଜ୍ରକାପ୍ତା ଖାଦ୍ୟ, ଔଷଧ ଓ ବୁଲେଟ ପୃଫ ଜ୍ୟାକେଟ ତିଆରି ପାଇଁ ବ୍ୟବହାର କରାଯାଉଥିବା ଗିରଫ ହୋଇଥିବା ବ୍ୟକ୍ତିମାନେ ପ୍ରକାଶ କରିଥିବା କହିଛନ୍ତି ଆଠଗଡ ଡିଏଫଓ ସସ୍ମିତା ଲେଙ୍କା। ଏହା ମୁଖ୍ୟତଃ ଚୀନ, ମିଆଁମାର ଓ ଭିଏତନାମ ଆଦି ଦେଶକୁ ଚାଲାଣ କରାଯାଉଥିବା ସେ କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ