ଭୁବନେଶ୍ବର: ଆସନ୍ତା 24 ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଏବଂ ସୁନ୍ଦରଗଡ ଜିଲ୍ଲାରେ ଘନ କୁହୁଡି ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ ।
ତେବେ କୁହୁଡି ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଖରାଟିଆ ରହିବ। 5ମ ଦିନ ଅର୍ଥାତ 22 ତାରିଖରେ ସୁନ୍ଦରଗଡ, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ରାଜ୍ୟକୁ ଉତ୍ତରା ପବନ ବହିବା ବନ୍ଦ ହୋଇଯାଇଛି, ଦକ୍ଷିଣ ପୂର୍ବ ଦିଗରୁ ପବନ ରାଜ୍ୟକୁ ପ୍ରବାହିତ ହେଉଛି ତେଣୁ ରାତିରେ ତାପମାତ୍ରା ବଢିବ ଏବଂ ଦିନ ସମୟରେ ଥଣ୍ଡା ହ୍ରାସ ପାଇବ। ଗତ 24 ଘଣ୍ଟାରେ ରାଜ୍ୟର କେବଳ ଗୋଟିଏ ଜିଲ୍ଲା, ତାଳଚେରରେ ସର୍ବନିମ୍ନ ତାପମାତ୍ରା 9.8 ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ