ଭୁବନେଶ୍ବର: କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାହୁଁ ନାହାଁନ୍ତି ରଥଯାତ୍ରା ହେଉ । ଏହି କହିଛନ୍ତି ବିଜେପି ନେତା ଖାରବେଳ ସ୍ଵାଇଁ । ମନ୍ଦିର ପରିଚାଳନା କମିଟିର କଥା ଗୁରୁତ୍ବପୂର୍ଣ୍ଣ ନୁହେଁ । ରଥଯାତ୍ରା ହେଲେ ଭାରତର ବଡ କ୍ଷତି ହେବ ବୋଲି କହିଛନ୍ତି ଖାରବେଳ । କାରଣ କୋରୋନା ପାଇଁ ହଜ୍ ଯାତ୍ରା, ଅଲମ୍ପିକ, ଆଇପିଏଲ ବନ୍ଦ ହୋଇଛି, ଭାଟିକାନରେ ମଧ୍ୟ ଖ୍ରୀଷ୍ଟଆନ ମାନେ ମଧ୍ୟ ତାଙ୍କର ପର୍ବ କରିନାହାନ୍ତି । ଏହାପରେ ଯଦି ରଥଯାତ୍ରା ହୁଏ ବାହାର ଦେଶକୁ ଭୁଲ ବାର୍ତ୍ତା ଯିବ ବୋଲି କହିଛନ୍ତି ଖାରବେଳ ସ୍ଵାଇଁ ।
ରଥଯାତ୍ରା ହେବା ଉଚିତ ନୁହେଁ, ରଥଯାତ୍ରା ହେଲେ ଇସଲାମିକ ଦେଶ ମାନେ ଭାରତ ବିରୋଧୀ ହେବେ । ରଥଯାତ୍ରା ହେବା ଉଚିତ ନୁହେଁ, ସୁପ୍ରିମକୋର୍ଟ ଯାହା କହିଛନ୍ତି ସେଥିରେ କାଏମ ରୁହନ୍ତୁ, କିଛି ଲୋକ ନିଜ ସ୍ୱାର୍ଥ ପାଇଁ ରଥଯାତ୍ରା କରିବା ପାଇଁ କହୁଛନ୍ତି । ଗଜପତି ଚାପର ବଶବର୍ତ୍ତୀ ହୋଇ କହୁଛନ୍ତି, ଯଦି ରଥଯାତ୍ରା ହୁଏ, ତେବେ ବିଶ୍ୱ ସ୍ତରରେ ଭାରତର ଛବି ତଳକୁ ଯିବ,ଭାରତର ବୃହତ କ୍ଷତି ହେବ ବୋଲି ମତବ୍ୟକ୍ତ କରିଛନ୍ତି ଖାରବେଳ ।
ରଥଯାତ୍ରା ହେଉ ବୋଲି କେହି ରିସ୍କ ନେବା ପାଇଁ ଚାହାନ୍ତି ନାହିଁ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୋରୋନା ସଂକ୍ରମଣ ବ୍ୟାପିବାରେ ଦୋଷ ମୁଣ୍ଡାଇବା ପାଇଁ ଚାହୁଁ ନାହାଁନ୍ତି । ସେଥିପାଇଁ ରଥଯାତ୍ରା ବନ୍ଦ ହେଲା ଆଉ ସମସ୍ତେ ଚୁପ ରହିଲେ। ଯେଉଁମାନେ ରଥଯାତ୍ରା କରିବା ପାଇଁ ଚାହୁଁଥିଲେ ସେମାନେ କାହିଁକି ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ